ସମ୍ବଲପୁର ଜିଲ୍ଲାରେ ନୂଆ ୧୦୪ ପଜିଟିଭ ଚିହ୍ନଟ : କରୋନା ସଂକ୍ରମଣ ପୁନଶ୍ଚ ବୃଦ୍ଧି ଚିନ୍ତା ବଢାଉଛି

ସମ୍ବଲପୁର : ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ନୂଆ କରୋନା ପଜିଟିଭ ଭାବରେ ୧୦୪ ଜଣଙ୍କୁ ଚିହ୍ନଟ କରାଯାଇଛି, ଯାହାକି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ବିଗତ ପ୍ରାୟ ସପ୍ତାହେରୁ ଅଧିକ ଦିନ ହେଲା ଏହି ସଂଖ୍ୟା ୧୦୦ ତଳେ ରହି ଆସୁଥିଲା, କିନ୍ତୁ ଆଜି ଏହା ହଠାତ ଶତାଧିକ ହୋଇଥିବାରୁ ପ୍ରଶାସନଙ୍କ ସହିତ ଜନସାଧାରଣଙ୍କ ଚିନ୍ତା ବଢି ଯାଇଛି । ଏହି କ୍ରମେ ତାଜା ସ୍ଥିତି ଅନୁସାରେ ଏପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୪୩ରେ ଯାଇ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୭୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଅଧିକାରିକ ଭାବରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ୮୭୩ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏପର୍ଯ୍ୟନ୍ତ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟାକୁ ନେଇ ପ୍ରଶାସନ ଓ ଲୋକଙ୍କ ମତରେ ଯଥେଷ୍ଟ ପାର୍ଥକ୍ୟ ରହୁଛି ଓ ଏ ବିଷୟରେ ପ୍ରଶାସନର ମୌନତା ପ୍ରଶ୍ନବାଚୀ ହୋଇରହିଛି । ଲକଡାଉନ ଉଠି ଅନଲକ ୪.୦ର ଘୋଷଣା ପରଠାରୁ କୌଣସି ପ୍ରକାର କଟକଣା ଉଚିତ ରୂପେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଏକ ଅଭିନବ ଉପୟ ଅବଲମ୍ବନ କରିଛି ଓ ସୀମିତ ସଂଖ୍ୟାକ ବରିଷ୍ଠ ନାଗରିକଙ୍କୁ ଡାକି ସେମାନଙ୍କ ସହିତ ଚର୍ଚ୍ଚା ଆରମ୍ଭ କରାଯାଇଛି ।

ସେମାନଙ୍କ ଠାରୁ ବସ୍ତୁସ୍ଥିତି ବିଷୟରେ ଜାଣିବା ଦିଗରେ ଏହା ଏକ ଅୟମାରମ୍ଭ ବୋଲି କୁହାଯାଉଛି । ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିବା ଦିଗରେ ଏହି କାର୍ଯ୍ୟକ୍ରମ ସାହାଯ୍ୟ କରିବ ଓ ତଦାନୁସାରେ କାର୍ଯ୍ୟାନ୍ୱନ ଦ୍ୱାରା କରୋନା ନିୟନ୍ତ୍ରଣ ଦିଗରେ ଜନସାଧାରଣଙ୍କ ଭାଗିଦାରୀ ସୁନିଶ୍ଚିତ ହୋଇପାରିବ ବୋଲି ଆଶା କରାଯାଉଛି ।

Comments (0)
Add Comment