ରାଉରକେଲା : “ବ୍ଲୁମ୍ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି । ଫଳରେ ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି । ଏଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଏକ ଅଭିନବ ପ୍ରକଳ୍ପ ଉପସ୍ଥାପନ କରି ବିଶେଷ ସ୍ୱୀକୃତି ହାସଲ କରିଥିବାରୁ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଚଳିତ ବର୍ଷ ୯୯ଟି ଦେଶ ଭାଗ ନେଇଥିଲେ । କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତାକରାଯାଇଥିଲା । ସେଥିମଧ୍ୟରୁ ଅଭିନବ ତଥାଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା ସମେତ ୫୦ଟି ସହର ଫାଇନାଲିଷ୍ଟ ହୋଇପାରିଛନ୍ତି । ଏହି ତାଲିକାରେ ପୁନେ ସହର ମଧ୍ୟ ରହିଛି । ଏହି ଫାଇନାଲିଷ୍ଟ ସହରଗୁଡ଼ିକ ମଧ୍ୟରେ ଚୂଡ଼ାନ୍ତ ପ୍ରତିଯୋଗିତା ଜୁନ୍ ୨୩ରୁ ଆରମ୍ଭ ହୋଇ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ପ୍ରତ୍ୟେକ ସହର ଦେଇଥିବା ପ୍ରସ୍ତାବ ଉପରେ କାମ କରି ତାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବେ । ଏଥିରେ ସଂପୃକ୍ତ ସହରଗୁଡ଼ିକୁ ବ୍ଲୁମବର୍ଗ ଫିଲାନଥ୍ରପି ଏବଂ ଏହା ସହ ଥିବା ବିଶେଷଜ୍ଞମାନେ ବିଭିନ୍ନ ପରାମର୍ଶ ଯୋଗାଇ ଦେବେ । ଏହି ୫୦ ପ୍ରତିଯୋଗୀ ସହର ଭିତରୁ ୧୫ଟି ସହରକୁ ଶ୍ରେଷ୍ଠ ବଛାଯାଇ ପ୍ରତ୍ୟେକଙ୍କୁ ୧ ନିୟୁତ ଡଲାର ପୁରସ୍କାର ରାଶି ଦିଆଯିବ । ତା’ସହିତ ବ୍ଲୁମବର୍ଗ ପକ୍ଷରୁ ବିଭିନ୍ନ ସ୍ତରରେ ବୈଷୟିକ ସହଯୋଗ ଏବଂ ପରାମର୍ଶ ମଧ୍ୟ ଯୋଗାଇ ଦିଆଯିବ ।ବିଭିନ୍ନ ଅଭିନବ ପ୍ରସ୍ତାବ ଉପସ୍ଥାପନ କରି ଏହି ୫୦ଟି ସହର କୋଭିଡ୍ ମହାମାରୀ ସମୟରେ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ଲାଗି ନୂଆ ନୂଆ ରାସ୍ତା ଦେଖାଇପାରିଛନ୍ତି ବୋଲି ଏହି ଅବସରରେ
କହିଛନ୍ତି ବ୍ଲୁମବର୍ଗର ପ୍ରତିଷ୍ଠାତା ତଥା ନ୍ୟୁୟର୍କ ସହରର ପୂର୍ବତନ ମେୟର ମାଇକେଲ୍ ଆର୍ ବ୍ଲୁମବର୍ଗ । ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ମାର୍ଗଦର୍ଶନରେ ପରିଚାଳିତ ଏହି ପ୍ରକଳ୍ପର ମୁଖ୍ୟ ଭାବେ ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ ରହିଥିବା ବେଳେ ପ୍ରଶାନ୍ତ କୁମାର ନାୟକ ପ୍ରକଳ୍ପ ପରିଚାଳକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ସହଯୋଗୀ ସଂସ୍ଥା ଭାବେ କୃଷି ଷ୍ଟାର୍ଟଅପ୍ କୋଏଲ ଫ୍ରେସକୁ ନିଆଯାଇଛି । ଏହାର ମୁଖ୍ୟ ଆଶୁତୋଷ ନାୟକଙ୍କ ନେତୃତ୍ୱରେ ଏନଆଇଟି ରାଉରକେଲାର ବର୍ତ୍ତମାନ ତଥା ପୂରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଷୟିକ ଟିମ ଏହି କାର୍ଯ୍ୟକୁ ଆଗକୁ ନେଉଛନ୍ତି ।