କଣ୍ଟାବାଞ୍ଜି,୨୧/୪- ସାରା ବିଶ୍ୱକୁ କରୋନାର ଦ୍ୱିତୀୟ ଲହରୀ ଗ୍ରାସି ଥିବାବେଳେ ବର୍ତ୍ତମାନ ପରିସ୍ଥିତି ଅସମ୍ଭାଳ ହେଲାଣି । ଏହିଭଳି ପରିସ୍ଥିତିରେ ରକ୍ତର ମଧ୍ୟ ମହା ସଙ୍କଟ ଦେଖା ଦେଇଛି।ଇତିମଧ୍ୟରେ ତୁରେକେଲା ଗ୍ରାମର ୧୪ବର୍ଷର ବାଳକ ସୁମିତ ପୁଟେଲ ସିକଲିଙ୍ଗ ରୋଗୀ ହୋଇଥିବାରୁ ତାଙ୍କୁ ନିୟମିତ ପ୍ରତି ଏକ କିମ୍ବା ଦୁଇ ମାସରେ ରକ୍ତ ଦରକାର ହୋଇଥାଏ।ତେଣୁ ରକ୍ତ ପାଇଁ କଣ୍ଟାବାଞ୍ଜିସ୍ଥିତ ରକ୍ତ ଭଣ୍ଡାର କୁ ଆସି ଯୋଗାଯୋଗ କରିଥିଲେ ହେଲେ ଏ ପଜିଟିଭ ରକ୍ତ ମିଳିନଥିଲା । ଏହି ଖବର ପାଇବା ପରେ ଜୁନିଅର ରେଡକ୍ରସର ପରାମର୍ଶ ଦାତା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ସୋସିଆଲ ମିଡିଆରେ ରକ୍ତ ଦେବା ପାଇଁ ରକ୍ତଦାତା ମାନଙ୍କୁ ଅନୁରୋଧ କରିଥିଲେ। ଖବର ପାଇ ଜାମୁଟଝୁଲା ର ବିନୋଦ ପୁଟେଲ ଓ ତୁରେକେଲା ଗ୍ରାମର ସଞ୍ଜୀବ ପୁଟେଲ ସ୍ୱଇଛ୍ଛାରେ ଡାକ୍ତରଖାନାରେ ପହଞ୍ଚି ରକ୍ତ ଦାନ କରିଥିଲେ। ଦୁଇ ବୋତଲ ରକ୍ତ ମିଳିବା ପରେ ପିଲାଟିକୁ ରକ୍ତ ଦେବା ପରେ ସ୍ୱାସ୍ଥ୍ୟରେ ସୁଧାର ଆସିଥିବାରୁ ସୁମିତ ର ବାପା ହେମ ସାଗର ପୁଟେଲ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରକାଶ ଥାଉକି ରକ୍ତ ଭଣ୍ଡାରରେ କାର୍ଯ୍ୟରତ କର୍ମଚାରୀ ଶିବ ସାହୁ ଓ କୁନାଲ ଦାସ ଗୋଟିଏ ଦିନ ପୂର୍ବରୁ ନିଜେ ରକ୍ତ ଦେଇ ଦୁଇ ଜଣ ରୋଗୀଙ୍କ ଜୀବନ ବଞ୍ଚାଇ ମହାନତାର ପରିଚୟ ଦେଇଥିଲେ। ସେମାନଙ୍କର ଏଭଳି କାମକୁ ସମସ୍ତେ ପ୍ରଶଂସା କରିଥିବାବେଳେ ଶ୍ରୀ ଦାଶ ରକ୍ତଦାତା ମାନଙ୍କୁ ମାସ୍କ ଓ କିଛି ପୁସ୍ତକ ପ୍ରଦାନ କରି ତାଙ୍କୁ ଉତ୍ସାହିତ କରିଥିଲେ। ଆଜି ବି ମାନବିକତା ବଞ୍ଚିଛି କେବଳ ଜନ ସଚେତନତାର ଅଭାବ ରହିଛି, ତେଣୁ ଯଦି ଏଥି ପ୍ରତି ଦୃଷ୍ଟି ଦିଆଯିବ ରକ୍ତର ଅଭାବ ରହିବ ନାହିଁ ବୋଲି ଶ୍ରୀ ଦାଶ ଆମ ସାମ୍ବାଦିକଙ୍କ ମାଧ୍ୟମରେ ଜନ ସାଧାରଣକୁ ଅବଗତ କରାଇଥିଲେ ଏବଂ ଆଗାମୀ ଦିନରେ ରକ୍ତ ଦାନ ଶିବିରର ଆୟୋଜନ ମଇ ୮ତାରିଖ ବିଶ୍ୱ ରେଡକ୍ରସ ଦିବସରେ ଆୟୋଜନ କରି ରକ୍ତର ଅଭାବକୁ ଦୂର କରାଯିବ ବୋଲି କହିଛନ୍ତି।