ବିଭିନ୍ନ ଡକାୟତି ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି

ବୌଦ୍ଧ,୧୯/୨ – ଜିଲ୍ଲାରେ ଗତ ଜାନୁଆରି ମାସରେ ହୋଇଥିବା ଡକାୟତି, ଲୁଟପାଟ ମାମଲା ଗୁଡିକର ଆସାମୀ ମାନଙ୍କୁ ଧରିବାରେ ପୋଲିସ୍ ବିଫଳ ହୋଇଥିବାରୁ କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯିବାକୁ ଜନ ଅଧିକାର ସୁରକ୍ଷା ମଞ୍ଚ ଦାବି କରିଛି | ଆଜି ମଞ୍ଚର ସଭାପତି ଅବଦୁଲ୍ ହଲିମ୍ ଖାନ୍ ଓ ଆବାହକ ସତ୍ୟଜିତ କୁମାର୍ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲାପାଳ ବୌଦ୍ଧଙ୍କ ଜରିଆରେ ଏକ ଦାବି ପତ୍ର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଏନସି ଯୋତି ରଞ୍ଜନ ନାଏକଙ୍କୁ ପ୍ରଦାନ କରାଯାଇଛି | ଦିନକୁ ଦିନ ଜିଲ୍ଲାରେ ଚୋରୀ, ଡକାୟତି, ଲୁଟପାଟ ମାମଲା ବଢି ଚାଲିଥିବା ବେଳେ ପୋଲିସ୍ ଗୋଟିଏ ମଧ୍ୟ ମାମଲାର ଅପରାଧିଙ୍କୁ ଧରିବାରେ ସଫଳ ହୋଇ ନଥିବା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି | ଗତ ଜାନୁଆରି ମାସରେ ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳ ଥାନା ଅଞ୍ଚଳରେ 6 ରୁ ଅଧିକ ଡକାୟତି ମାମଲା ଥାନା ମାନଙ୍କରେ ପଂଜିକୃତ ହୋଇଥିବା ବେଳେ ପୋଲିସର ହାତ ଖାଲି ରହିଥିବାରୁ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଥିବା କୁହା ଯାଇଛି |
ବାଉଁଶୁଣୀ ଥାନା ସାହାଜପାଲ୍ ଛକ ନିକଟରୁ ଗତ ମାସ 20 ତାରିଖରେ ଏକ ଜ୍ବେଲର୍ସ ଦୋକାନରୁ ସ୍ପଷ୍ଟ ଦିବାଲୋକରେ ବହୁ ପରିମାଣର ସୁନା ଗହଣା ଚୋରୀ ହେବାର ମାସେ ବିତି ଯାଇଥିଲେ ମଧ୍ୟ ବାଉଁଶୁଣୀ ପୋଲିସ୍ ତଦନ୍ତରେ ଆଗକୁ ଯାଇନଥିବା ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି | ଚୋରୀ ସମୟର ସିସି ଟିଭି ଫୁଟେଜ ଓ ଲୁଟେରା ର ଫୋଟ ପୋଲିସକୁ ଦିଆଯାଇଥିଲେ ମଧ୍ୟ ପୋଲିସ୍ ହାତବାନ୍ଧି ବସି ରହିଛି | ବୌଦ୍ଧ ଏସ. ପି.ଙ୍କ ନିର୍ଦ୍ଦେଶ ମଧ୍ୟ ପ୍ରଭାବ ଶୁନ୍ୟ ହୋଇଛି | ସେହିପରି ମନମୁଣ୍ଡା ଥାନା ଦେଉଳି ଗ୍ରାମରେ ଗତ ଜାନୁଆରି 15 ତାରିଖରେ ଗଣେଶ ମିଶ୍ରଙ୍କ ଘରୁ ହୋଇଥିବା ସୁନା ଗହଣା ଓ ନଗଦ ଟଂକା ଲୁଟ ଘଟଣା, ମନମୁଣ୍ଡା ଥାନା ଡେଙ୍ଗପଦର୍ ଗ୍ରାମର ପ୍ରଶାନ୍ତ ସାହୁଙ୍କ ଘରେ ଜାନୁଆରି 27 ତାରିଖରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣା, ସ୍ପଷ୍ଟ ଦିବାଲୋକରେ କଣ୍ଟାମାଳ ଥାନା ତବଡା ଛକ ନିକଟରୁ ଜଣେ ଶିକ୍ଷକଙ୍କ ଠାରୁ ହୋଇଥିବା ଲୁଟ ଘଟଣା, କଣ୍ଟାମାଳ – ପଲସାଗୋରା ରାସ୍ତା ବଡ଼ କୁଶଙ୍ଗ ଗ୍ରାମ ନିକଟରୁ ଗୋଟିଏ ଦମ୍ପତ୍ତିଙ୍କ ଠାରୁ ହୋଇଥିବା ଲୁଟ ଘଟଣା, ଗତ ଜାନୁଆରି 28 ତାରିଖ ରାତିରେ କଣ୍ଟାମାଳ ଥାନା ଦେମୁହାଣୀ ଗ୍ରାମର ପଦ୍ମ ଚରଣ ପ୍ରଧାନଙ୍କ ଘରୁ ହୋଇଥିବା ଡକାୟତି ଘଟଣା ଆଦିର ତଦନ୍ତରେ ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳ ପୋଲିସ ସମ୍ପୁର୍ଣ୍ଣ ବିଫଳ ହୋଇଥିବା ଦାବି ପତ୍ରରେ ଉଲ୍ଲେଖ କରାଯାଇଛି | ସମ୍ପୃକ୍ତ ଥାନା ପୋଲିସ ଏ ସବୁ ମାମଲାର ତଦନ୍ତ କରି ଆସାମୀଙ୍କୁ ଧରିବାରେ ବିଫଳ ହୋଇଥିବା ଯୋଗୁଁ ମାମଲା ଗୁଡିକର ତଦନ୍ତ ଅନ୍ୟ ଦକ୍ଷ ଅଧିକାରୀଙ୍କ ଦ୍ବାରା କରାଯିବା କିମ୍ବା କ୍ରାଇମ ବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେବାକୁ ଜନ ଅଧିକାର ସୁରକ୍ଷା ମଞ୍ଚ ଦାବୀ କରିଛି | ଏହା ସହିତ ଗୃହ ବିଭାଗ ସଚିବ, ପୋଲିସ୍ ମହା ନିର୍ଦ୍ଦେଶକ ଓ ଦକ୍ଷିଣାଞ୍ଚଳ ଡି. ଆଇ. ଜି., ବ୍ରମ୍ହପୁରଙ୍କୁ ମଧ୍ୟ ଅବଗତ କରାଯାଇଥିବା ସୁଚନା ମିଳିଛି l

Comments (0)
Add Comment