ବୌଦ୍ଧ: ଲକ୍ଡାଉନ ସମୟରେ ପୁଲିସ ଓ ଅବକାରୀ ବିଭାଗକୁ ଫାଙ୍କି ଗଞ୍ଜେଇ ଓ ମହୁଲିମଦର ଚୋରାଚାଲାଣ ଅବାଧରେ ଚାଲିଛି । ପୁଲିସ ଯେତେ ଚେକ୍ ପୋଷ୍ଟ କରି ତନଖି କରୁଥିଲେ ମଧ୍ୟ ମାଫିଆମାନେ ନୂଆଁନୂଆଁ ରାସ୍ତା ଓ ଉଦ୍ଭଟ କୌଶଳମାନ ଆପଣେଇ ଚୋରା ନିଶାଦ୍ରବ୍ୟ ଚାଲାଣକୁ ସୁଗମ କରିଚାଲିଛନ୍ତି । ଜାତୀୟ ରାଜପଥ ନମ୍ବର ୫୭ ଅପେକ୍ଷା ସେମାନେ ବୁଟୁପାଲି ଠାରୁ ପନ୍ଥାଇ ଆଡକୁ ଯାଇଥିବା ପୂର୍ତ୍ତବିଭାଗର ରାସ୍ତାକୁ ବ୍ୟବହାର କରିବା ଉପଯୁକ୍ତ ମନେ କରୁଛନ୍ତି । ବାହାର ଜିଲ୍ଲା ତଥା ରାଜ୍ୟରୁ ଆସୁଥିବା ନିଶାଦ୍ରବ୍ୟ ମାଫିଆମାନେ ଏ ରାସ୍ତାକୁ ଚୋରାଚାଲାଣ ପାଇଁ ଅବାଧ କରିଡର ଭାବରେ ବ୍ୟବହାର କରୁଥିବା ଅଭିଯୋଗ ହୁଏ । ଏହି ରାସ୍ତାରେ ସନ୍ଧ୍ୟା ସମୟରେ ବୌଦ୍ଧଥାନାର ପିସିଆର ଭ୍ୟାନ ପେଟ୍ରୋଲିଂ କରୁଥିଲେ ମଧ୍ୟ ସୁଯୋଗ ଉଣ୍ଡି ମାଫିଆମାନେ ଗଞ୍ଜେଇ ଓ ମଦ ଚୋରାଚାଲାଣ କରୁଥିବା ଆଲୋଚନା ହେଉଛି ।
ପୁଲିସ ଏ ରାସ୍ତାରେ ନିଶାଦ୍ରବ୍ୟ ଚୋରାଚାଲାଣକାରୀଙ୍କ ଉପରେ ତୀକ୍ଷଣ ନଜର ରଖିବା ସହ ରାତି ପେଟ୍ରୋଲିଂକୁ କଡାକଡି କରାଯିବାକୁ ଜନସାଧାରଣରେ ଦାବି ହେଉଛି ।