ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ାର ଏମ୍ସିଏଲ୍ ଉତ୍କଳ ଉପବନର ଶିଳାନସ୍ୟା କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ସମ୍ବଲପୁର : ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ ଦ୍ୱାରା କ୍ରିୟାଶୀଳ କରାଯାଇଥିବା ଝାରସୁଗୁଡ଼ାର ଉତ୍କଳ ଉପବନକୁ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ, ଅମିତ୍ ଶଶହ ଶିଳାନ୍ୟାସ କରିଛନ୍ତି, ଯାହାକୁ ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ରୂପେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ । ଦୀର୍ଘ ବର୍ଷରୁ ବନ୍ଦ ପଡ଼ିଥିବା ଲଖନପୁର ଖଣି କ୍ଷେତ୍ର ଅନ୍ତର୍ଗତ ଲିଲାରି ଖୋଲାମୁହଁ ଖଣିକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ଏମ୍ସିଏଲ୍ କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି । ଏହି ପର୍ଯ୍ୟଟନ ସ୍ଥଳୀର ନାମ ଉକ୍ରଳ ଉପବନ ରଖାଯାଇଥିବାବେଳେ ଦିଲ୍ଲୀରୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାର ଶିଳାନ୍ୟାସ କରିଛନ୍ତି । ଲିଲିରି ଖୋଲାମୁହଁ କୋଇଲା ଖଣିକୁ ୨୫ କୋଟି ଟଙ୍କାର ବ୍ୟୟ ଅଟକଳରେ ରାଜ୍ୟର ପ୍ରଥମ ଖଣି ପର୍ଯ୍ୟଟନସ୍ଥଳୀ ଭାବରେ ଏମ୍ସିଏଲ୍ ପକ୍ଷରୁ ନିର୍ମାଣ କରାଯିବ । ଏହି ପର୍ଯ୍ୟଟନ ସ୍ଥଳୀକୁ ମୁଚବାହାଲ ଛକରୁ ସ୍ୱତନ୍ତ୍ର ଉନ୍ନତମାନର ରାସ୍ତା ନିର୍ମାଣ, ବନ୍ଦ ପଡ଼ିଥିବା ଖଣିରେ ବୋଟିଂ କ୍ଲବ, ସୁନ୍ଦର ଆଧୁନିକ ପାର୍କ, ଫଳ ବଗିଚା ସହ ବିଭିନ୍ନ ପ୍ରକାରର ବୃକ୍ଷରୋପଣ ସହିତ ୪ କିଲୋମଟର ଯାଏ ଚାଲିବାକୁ ଥିବା ଟଏ ଟ୍ରେନ୍, ୫ କିଲୋମିଟର ସାଇକେଲ ଟ୍ରାକ, ଶୌଚାଳୟ ନିର୍ମାଣ, ପରିଦର୍ଶକଙ୍କ ବସିବା ନିମନ୍ତେ ଅତ୍ୟାଧୁନିକ ସ୍ଥାନ ନିର୍ମାଣ, ପ୍ରଥମ ଉପଚାର କେନ୍ଦ୍ର, ୬ଟି ଆଧୁନିକ କଟେଜ ନିର୍ମାଣ, ୨୫ଟି ସାଇକେଲ, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ପିକ୍ନିକ ପାଇଁ ସ୍ୱତନ୍ତ୍ର ସ୍ଥାନ, ଏକ ଛୋଟ ପୋଖରୀ ସହିତ ହାଟ ଯେଉଁଥିରେ ବିଭିନ୍ନ ଖାଦ୍ୟପେୟ ଠାରୁ ଆରମ୍ଭ କରି ସ୍ଥାନୀୟ ହସ୍ତଶିଳ୍ପ ସାମଗ୍ରୀର ବ୍ୟବସ୍ଥା ରହିବ । ଏହା ଏକ ଆକର୍ଷଣୀୟ ଇକୋ ପାର୍କ ଭାବରେ ତିଆରି କରାଯିବ ବୋଲି ସ୍ଥାନୀୟ ମହାପ୍ରବନ୍ଧକ ଓ ସାଂସଦ କହିଛନ୍ତି । ଶିଳାନ୍ୟାସ ଅବସରରେ ମାନ୍ୟବର ଗୃହମନ୍ତ୍ରୀଙ୍କ ସହ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ମାନ୍ୟବର ପ୍ରହଲ୍ଲାଦ ଯୋଶୀ ଉପସ୍ଥିତ ଥିବା ବେଳେ ଶିଳାନ୍ୟାସ କ୍ଷେତ୍ରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସବ୍କଲେକ୍ଟର ଶିବ ଟପ୍ପୋ, ଡିଏଫ୍ଓ ଲଲିତ କୁମାର ପାତ୍ର, କୁଡ଼ାଲୋଇ ପଞ୍ଚାୟତ ସରପଞ୍ଚ କିଶୋରୀ ଦଲେଇ, ବନ୍ଧବାହାଲ ସରପଞ୍ଚ ରାଜେନ୍ଦ୍ର ନାଏକ, ଜିଲ୍ଲା ପରିଷଦ ସଭ୍ୟ ସାମଳ ନାଏକ, ଏମ୍ପିଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ସ୍ଥାନୀୟ ଖଣି ମହାପ୍ରବନ୍ଧକ ଇନଚାର୍ଜ ଅରୁଣ କୁମାର ସ୍ୱର୍ଣ୍ଣକରଙ୍କ ସମେତ ବିଭିନ୍ନ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

Comments (0)
Add Comment