ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଏବଂ ତଦ୍ଜନିତ ପରିସ୍ଥିତି ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ । ଏଥିରେ ମୁଖ୍ୟତଃ ବାହାରୁ ଆସୁଥିବା ଶ୍ରମିକମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ପରୀକ୍ଷଣ, କୋଭିଡ୍ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ସଂଗ୍ରହ, ଫସଲ ପରିସ୍ଥିତି, ଶ୍ରମଭିତ୍ତିକ କାର୍ଯ୍ୟ, ଆଇନ୍ ଶୃଙ୍ଖଳା ଏବଂ ଶିଳ୍ପ କ୍ଷେତ୍ରର ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଅପେକ୍ଷାକୃତ ଭଲ ରହିଥିବାରୁ ଏବଂ ଏ ଦିଗରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହିତ ଉତ୍ସର୍ଗୀକୃତ ଭାବେ କାମ କରୁଥିବା ପ୍ରଶାସନ, ପୁଲିସ୍, ଶିକ୍ଷକ, ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ଓ ପୌରସଂସ୍ଥାର କର୍ମଚାରୀ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାରେ ଆତ୍ମସନ୍ତୋଷ ଲାଭ ନକରି ଆଗାମୀ ଦିନର ପରିସ୍ଥିତିର ମୁକାବିଳା ପାଇଁ ପ୍ରସ୍ତୁତି ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସମ୍ପୂର୍ଣ୍ଣ ପରିସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେତେକ ନିର୍ଦ୍ଦେଶ ଦେଇଛନ୍ତି । ସେଗୁଡ଼ିକ ମଧ୍ୟରେ ରାଜ୍ୟରେ ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ । ସୁରତରୁ ଓଡ଼ିଶାକୁ ଦୀର୍ଘ ପଥ ବସରେ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା, ଅଂଶୁଘାତ, ଦୁର୍ଘଟଣା ଭଳି ସମସ୍ୟା ଦେଖାଯିବା ସହିତ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସୁରତରୁ କେବଳ ଟ୍ରେନ୍ ଯୋଗେ ଫେରିବା ପାଇଁ ସରକାର ଅନୁମତି ଦେବେ । ଗ୍ରୀନ୍ ଜୋନରେ କୃଷି କାର୍ଯ୍ୟ, ଶିଳ୍ପ, ଜୀବନଜୀବିକା ଓ ପରିବହନ ସ୍ୱାଭାବିକ କରାଯିବ । ଶିଳ୍ପ ସଂସ୍ଥାଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ କରାଯିବ । ଚାଷୀ ଓ ଏସ୍ଏଚ୍ଜିମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ । ମିଶନଶକ୍ତର ମା\’ମାନେ ଏହି କଠିନ ପରିସ୍ଥିତିରେ ଏକ କୋଟିରୁ ଅଧିକ ମିଲ୍ ଯୋଗାଇ ସାରିଲେଣି । ତେଣୁ ସେମାନଙ୍କୁ ପ୍ରତି ମିଲ୍ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଯୋଗାଇ ଦିଆଯିବ । ଗଂଜାମ, କେନ୍ଦ୍ରାପଡ଼ା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ୱର ପରି ଜିଲ୍ଲା, ଯେଉଁଠାରେ କି ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି, ତା\’ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଆହୁରି ମଧ୍ୟ ଖରିପ୍ ଋତୁ ପାଇଁ ବିହନ ଏବଂ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଯେପରି ସୁବିଧାରେ ଚାଷୀମାନେ ପାଇପାରିବେ, ସେ ଦିଗରେ ପଦକ୍ଷେପ ନିଆଯିବ । ସେ ପୁଣି କହିଥିଲେ ଯେ, ଆଗାମୀ ଦିନରେ ବିଦେଶରୁ ଓଡ଼ିଆ ଭାଇଭଉଣୀମାନେ ଫେରିବାର ସମ୍ଭାବନା ରହିଛି । ଓଡ଼ିଶା ଆସିବା ପୂର୍ବରୁ ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ, ଟେଷ୍ଟିଂ ଓ ସଂଗରୋଧ ବାଧ୍ୟତାମୂଳକ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ରାଜ୍ୟର ୧୬ଟି ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣ ରହିଛି । ସେଥିପାଇଁ ୬୨ଟି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ରୂପେ ଘୋଷଣା କରାଯାଇଥିଲା । ତନ୍ମଧ୍ୟରୁ ବର୍ତ୍ତମାନ ୪୭ଟି ସକ୍ରିୟ ଜୋନ୍ ରହିଛି । ସଂକ୍ରମିତ ଅଞ୍ଚଳରୁ ସଂଗୃହୀତ ୬୩୭୬ଟି ନମୁନା ମଧ୍ୟରୁ ୧୩୬ଟି ପଜିଟିଭ୍ କେସ୍ ବାହାରିଥିଲା, ଯାହାକି ମୋଟ ପଜିଟିଭ୍ ସଂଖ୍ୟାର ୮୩ ପ୍ରତିଶତ । କୋଭିଡ୍ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଉପକରଣ ସଂଗ୍ରହ କାର୍ଯ୍ୟ ସନ୍ତୋଷଜନକ ରହିଛି ବୋଲି ସେ କହିଥିଲେ ।