ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ କେତେ

ନୂଆଦିଲ୍ଲୀ : ମହଙ୍ଗା ମାଡରେ ତ୍ରାହି ତ୍ରାହି ଡାକିଲେଣି ଗ୍ରାହକ । ରାତି ପାହିଲେ ପେଟ୍ରୋଲ, ଡିଜେଲ ଦାମ ବଢୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଆକାଶ ଛୁଆଁ ହେଲାଣି । ଏପରି ସ୍ଥିତିରେ ନଭେମ୍ବର ଆରମ୍ଭରୁ ଗ୍ରାହକଙ୍କୁ ଲାଗିଛି ଗ୍ୟାସ ଝଟକା । ଦୀପାବଳି ପୂର୍ବରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୨୬୫ ଟଙ୍କା ବୃଦ୍ଧି କରାଯାଇଛି । ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ କରାଯାଇଛି ।
ମାତ୍ର ଆଶ୍ୱସ୍ତିକର ବିଷୟ ଯେ ଏହି ବୃଦ୍ଧି ଘରୋଇ ଗ୍ୟାସ ପାଇଁ ନୁହେଁ, କେବଳ ବ୍ୟବସାୟିକ ସିଲିଣ୍ଡର କ୍ଷେତ୍ରରେ ଲାଗୁ କରାଯାଇଛି । ଫଳରେ ଏବେ ବାହାରେ ଖାଇବା ଆହୁରି ମହଙ୍ଗା ହୋଇଯିବ ।
ଇଣ୍ଡିଆନ ଅଏଲ ୱେବସାଇଟ୍‌ ଅନୁଯାୟୀ, ୨୬୫ ଟଙ୍କା ବଢିବା ପରେ ବର୍ତ୍ତମାନ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡର ପିଛା ୨୦୦୦ ଟଙ୍କା ଅତିକ୍ରମ କରିଛି । ଦିଲ୍ଲୀରେ ଏବେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୨୦୦୦.୫୦ ଟଙ୍କା ହେବ । ଏହା ପୂର୍ବରୁ ଅକ୍ଟୋବର ୬ ତାରିଖରେ ହୋଇଥିବା ସମୀକ୍ଷା ସମୟରେ ଦିଲ୍ଲୀରେ ୧୯.୨ କେଜି ସିଲିଣ୍ଡର ମୂଲ୍ୟ ୧୭୩୩ ଟଙ୍କା ଥିଲା । କଲିକତାରେ ଏବେ ଗ୍ରାହକଙ୍କୁ ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୨୦୭୩.୫, ମୁମ୍ବାଇରେ ୧୯୫୦ ଓ ଲକ୍ଷେ୍ନøରେ ୨୦୯୩ ଟଙ୍କା ଗଣିବାକୁ ପଡିବ ।
ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥର ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କାରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଥିଲା ।
ଏବେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ ନିକଟ ଭବିଷ୍ୟତରେ ଏହା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତ ଜୁଲାଇରୁ ବର୍ତ୍ତମାନ ମଧ୍ୟରେ ଘରୋଇ ସିଲିଣ୍ଡର ଦାମରେ ୯୦ ଟଙ୍କା ବଢି ସାରିଲାଣି ।
ପୂର୍ବରୁ ଖାଇବା ତେଲ, ପନିପରିବା ଦାମ ବଢି ସାରିଥିବା ବେଳେ ଏବେ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୨୬୫ ଟଙ୍କା ବଢିବାରୁ ଏବେ ବାହାରେ ଖାଇବା ଆହୁରି ମହଙ୍ଗା ହେବା ଆଶଙ୍କା ଦେଖାଦେଇଛି ।

Comments (0)
Add Comment