ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’

ଭୁବନେଶ୍ୱର: ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ‘ଗୁଲାବ’। ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୪ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ପ୍ରଭାବରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ବାତ୍ୟା ‘ଗୁଲାବ’ର ପ୍ରଭାବ ବିଶେଷ ଭାବେ ଭାରତ ଉପରେ ପଡ଼ିନାହିଁ। ହେଲେ ଗତକାଲି ରାତିଠୁ ରାଜ୍ୟରେ ବର୍ଷା ଲାଗି ରହିଛିା ଗଜପତି, ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ ବର୍ଷା ହେଉଛି। ବର୍ତ୍ତମାନର ପରିସ୍ଥିତିକୁ ଦେଖି  ଆଜି ପାଇଁ ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଗଞ୍ଜାମ, କନ୍ଧମାଳ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

Comments (0)
Add Comment