ସମ୍ବଲପୁର : ସମଗ୍ର ପଶ୍ଚିମ ଓଡ଼ିଶା ଅଞ୍ଚଳରେ ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରର ବର୍ହିବିଭାଗକୁ ଆଗାମୀ ଜୁଲାଇ ୨୬ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ସେଠାରେ ପ୍ରାୟ ପ୍ରତି ଦିନ କିଛି କିଛି କର୍ମଚାରୀ ଓ କରୋନା ଯୋଦ୍ଧା ପଜିଟିଭ ଚିହ୍ନିତ ହେଉଥିବାରୁ କର୍ତ୍ତୃପକ୍ଷ ଏପରି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ଏପଟେ ସମ୍ବଲପୁର ଜିଲ୍ଲା ସଦର ହସ୍ପିଟାଲରେ କୋଭିଡ ଚିକିତ୍ସା ନାମରେ ବହିର୍ବିଭାଗ ସେବା ଆଗରୁ ବନ୍ଦ କରି ଦିଆ ଯାଇଛି ଓ ବର୍ତ୍ତମାନ ଏହି ସେବା ଭିମସାରରେ ମଧ୍ୟ ବନ୍ଦ କରାଯାଇଥିବାରୁ ଛୋଟ ଛୋଟ ରୋଗର ଚିକିତ୍ସା ପାଇଁ ଲୋକେ ଏପରି ହଇରାଣ ହେବାକୁ ବାଧ୍ୟ ହେଉଛନ୍ତି । ଭିମସାରରେ ବର୍ତ୍ତମାନ ଜରୁରୀକାଳୀନ ଅସ୍ତ୍ରପଚାର ଓ ଆଶୁ ଚିକିତ୍ସା ବିଭାଗ ମାତ୍ର ଖୋଲା ରହିଛି ଓ ଅନ୍ୟ ସବୁ ସେବା ବନ୍ଦ ରଖାଯାଇଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କେବଳ ଅନ୍ୟ ହସ୍ପିଟାଲରୁ ରେଫର ହୋଇ ଭିମସାରକୁ ଆସୁଥିବା ରୋଗୀଙ୍କୁ ହିଁ ଭର୍ତ୍ତି କରାଯାଉଛି । ଇତିମଧ୍ୟରେ ସମଗ୍ର ଭିମସାର ପରିସରକୁ ବିଶୋଧନ କରିବା ପାଇଁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେଠାକାର ଅନ୍ୟ ସବୁ ପ୍ରବେଶ ପଥକୁ ବ୍ୟାରିକେଡ଼ ଲଗେଇ ବନ୍ଦ କରିବା ସହିତ ମୁଖ୍ୟ ଫାଟକରେ ପୁଲିସ ମୁତୟନ କରା ଯାଇଛି ଓ କେବଳ ଅନୁମତିପ୍ରାପ୍ତ ଲୋକଙ୍କୁ ହିଁ ପ୍ରବେଶ କରିବାକୁ ଦିଆ ଯାଉଛି । ଭିମସାର ପରିସର ଭିତରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବାକୁ ବାଧ୍ୟ କରାଯାଇଛି ।