ଘରୋଇ କୋଭିଡ ହସ୍ପିଟାଲ ଉପରେ ନିୟନ୍ତ୍ରଣ ଦାବି

ସମ୍ବଲପୁର:କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସରକାରୀ ସ୍ତର ରେ ଉପଲବ୍ଧ ଚିକିତ୍ସା ସୁବିଧା ଯଥେଷ୍ଟ ହେଉ ନଥିବା ରୁ ଏଥିପାଇଁ ଘରୋଇ ହସ୍ପିଟାଲର ଚାହିଦା ବଢୁଛି । ଏହି ସ୍ଥିତିରୁ ଅହେତୁକ ଲାଭ ଉପାର୍ଜନ ପାଇଁ କିଛି ଘରୋଇ ହସ୍ପିଟାଲ ସମସ୍ତ ମାନବୀୟ ସମ୍ବେଦନାକୁ ଏଡାଇ ଆଗେଇ ଆସିଛନ୍ତି । ଏଥିପାଇଁ ସେମାନେ ସରକାରଙ୍କ ଦ୍ୱାରା ଘୋଷିତ ସମସ୍ତ ନୀତି ନିୟମକୁ ଆଦୌ ଭୃକ୍ଷେପ କରୁନାହାନ୍ତି । ଏଦିଗରେ ବିଶେଷ କରି ରାଉରକେଲା ସ୍ଥିତ ଜୟପ୍ରକାଶ ହସ୍ପିଟାଲ ର ନାମ ଚର୍ଚ୍ଚାରେ ରହିଛି । ଏହି ଅଭିଯୋଗକୁ ଭିତ୍ତିକରି ସମ୍ବଲପୁର ନାଗରିକ କଲ୍ୟାଣ ସମିତି ଏଠାରେ ପଦସ୍ଥ ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତଙ୍କୁ ଭେଟି ତାଙ୍କ ସହିତ ଚର୍ଚ୍ଚା କରିଛି ଓ ଏବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମଧ୍ୟ ଦେଇଛି । ଏହି ସ୍ମାରକପତ୍ର ଅନୁସାରେ ଉକ୍ତ ହସ୍ପିଟାଲରେ ଧାର୍ଯ୍ୟ ଦରଠାରୁ ଦୁଇ ତିନି ଗୁଣ ଅଧିକ ଅର୍ଥ ଆଦାୟ କରା ଯାଇ ଜନସାଧାରଣଙ୍କ ଶୋଷଣ କରାଯାଉଛି । ଏହା ବ୍ୟତିତ ରୋଗୀଙ୍କୁ ନେଇ ସେଠାକୁ ଯାଇଥିବା ପରିଜନଙ୍କ ସହିତ ଦୁର୍ବ୍ୟବହାର କରାଯାଉଛି ଓ ସେମାନଙ୍କୁ ରୋଗୀ ବିଷୟରେ ଆବଶ୍ୟକ ସୂଚନା ମଧ୍ୟ ଦିଆଯାଉନାହିଁ । ଏଣୁ ରାଜ୍ୟ ରେ କୋଭିଡ ଚିକିତ୍ସା ଯୋଗାଉଥିବା ସବୁ ଘରୋଇ ହସ୍ପିଟାଲ ର ଉଚିତ ଲେଖାଯୋଖା (ଅଡିଟ) ଦିଗରେ ସରକାର ଦୃଷ୍ଟି ଦେବା ଆବଶ୍ୟକ ଓ ଏଥିପାଇଁ ଏକ ସ୍ୱତନ୍ତ୍ର ସମିତି ଗଠନ କରାଯାଉ ବୋଲି ଦାବି କରାଯାଇଛି । ରାଜସ୍ୱ ଆୟୁକ୍ତଙ୍କ ସହିତ ଏଥିପାଇଁ ସାକ୍ଷାତ ଓ ଚର୍ଚ୍ଚା ରେ ସମ୍ବଲପୁର ନାଗରିକ କଲ୍ୟାଣ ସମିତି ସଭାପତି ମହେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଗୋବିନ୍ଦ ଅଗ୍ରୱାଲ, ମହେଶ ସାୟତା, ପ୍ରବିଣ ଦୀକ୍ଷିତ, ଅକ୍ଷୟ ଦେହୁରୀ ଓ ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲ ରହିଥିଲେ ।

Comments (0)
Add Comment