କୁମ୍ଭୀର ବଂଶବୃଦ୍ଧି ଉଦ୍ୟମ: ସାତକୋଶିଆ ଗଣ୍ଡରେ ଛଡାଗଲା ୬ ଘଡିଆଳ କୁମ୍ଭୀର

ହରଭଙ୍ଗା : ମହାନଦୀର ସାତକୋଶିଆ ଗଣ୍ଡରେ ଘଡିଆଳ ବଂଶବୃଦ୍ଧି ଯୋଜନାକୁ ପୁଣି ଜୋରଦାର କରିଛି ବନ ବିଭାଗ । ଘଡିଆଳ କୁମ୍ଭୀରଙ୍କ ବଂଶବୃଦ୍ଧି କରିବା ପାଇଁ ରାଜ୍ୟ ବନ୍ୟ ବିଭାଗ ପକ୍ଷରୁ ଆଜି ନନ୍ଦନକାନ ପ୍ରାଣୀ ଉଦ୍ୟାନରୁ ଅଣାଯାଇଥିବା ୬ଟି ଘଡିଆଳ କୁମ୍ଭୀରକୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କୁଶଙ୍ଗ ବନାଞ୍ଚଳର ମହାନଦୀର ସୁନାଖଣିଆଠାରେ ଗଭୀର ଜଳରେ କୁମ୍ଭୀରମାନଙ୍କୁ ଛଡାଯାଇଛି । ୬ଟି ଘଡିଆଳକୁ ନନ୍ଦନକାନନରୁ ଅଣାଯିବା ବେଳେ ସେମାନଙ୍କ ଲାଞ୍ଜରେ ସ୍ୱତନ୍ତ୍ର ଜିପିଏସ ଟ୍ରାନ୍ସମିଟର ଖଞ୍ଜାଯାଇଥିଲା । ଏହାଦ୍ୱାରା ମହାନଦୀରେ ସେମାନଙ୍କର ଗତିବିଧି ନିରୀକ୍ଷଣ କରାଯାଇପାରିବ ।

ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ହରିଶଙ୍କର ଉପାଧ୍ୟୟ, ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶଶୀପଲ, ଆର୍‌ସିସିଏଫ୍ ପ୍ରଦୀପ ରାଜ କରାଢ, ନୟାଗଡ ମହାନଦୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତ, ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ଆଠଗଡ ବନଖଣ୍ଡ ଅଧିକାରୀ ଯାଦବ ସୁଦର୍ଶନ ଗୋପୀନାଥ, ସାତକୋଶିଆ ଡିଏଫ୍‌ଓ ପି. ରାମାସ୍ୱାମୀ, ରେଞ୍ଜ ଅଧିକାରୀ ପ୍ରଦୀପ ଭୁତିଆ, ନିହାର ମଲ୍ଲିକ, ଦୟାନଧି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସାତକୋଶିଆରେ ଛଡାଯାଇଥିବା କୁମ୍ଭୀର ମହାନଦୀରେ ଚଳପ୍ରଚଳ କରୁଛନ୍ତି । ସେ ଅଂଚଳକୁ ‘ନୋ ଫିସିଂ ଜୋନ’ ଘୋଷଣା କରାଯାଇଛି । ଫଳରେ ୧୦ କିଲୋମିଟର ଅଚଳକୁ ମାଛମରା ଉପରେ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବୌଦ୍ଧ ଡିଏଫ୍‌ଓ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନନ୍ଦନକାନରୁ ଆସିଥିବା ପ୍ରାଣୀ ଚିକିତ୍ସିକ ଓ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।

Comments (0)
Add Comment