ବୌଦ୍ଧ : ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ଥାନା ସରସରା ଛକ ନିକଟରେ ଗତକାଲି ସଂଧ୍ୟାରେ ଗୋଟିଏ ଅଜଣାଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ସରସରା ଗ୍ରାମ ପଞ୍ଚାୟତ ନାରାୟଣପୁର ଗ୍ରାମର ସନାତନ ଅଧିକାରୀ(୩୨) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସନାତନ ନିଜ ବାଇକ ଧରି ଗତକାଲି ସଂଧ୍ୟାରେ କୌଣସି କାମରେ ସରସରା ଗ୍ରାମକୁ ଯାଇଥିଲେ । ସରସରା ଛକ ନିକଟରେ କୌଣସି ଏକ ଅଜଣା ଗାଡି ତାଙ୍କ ବାଇକ୍ ଧକ୍କା ଦେବା ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଦୁର୍ଘଟଣାର ଖବର ପାଇଁ ୧୦୮ ଆମ୍ବୁଲାନ୍ସ ସେଠାରେ ପହଞ୍ଚିଥିଲା । ଆମ୍ବୁଲାନ୍ସରେ ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ଯାଉଥିବା ବେଳେ ରେଢାଖୋଲ ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ପତ୍ନୀ ଓ ଏକ ଛୋଟ ଛୁଆ ଥିବା ଜଣାପଡିଛି ।