ସପ୍ତାହକ ଦୁଇଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ହାର ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିବା ପରେ ସପ୍ତାହକ ଦୁଇଦିନ ଶନିବାର ଓ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବା ପାଇଁ ଆଜି ନିଷ୍ପତ୍ତି ହୋଇଛି । ଶ୍ରୀ ମନ୍ଦିର ଛତିଶା ନିଯୋଗ ବୈଠକରେ ମନ୍ଦିରର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି ଓ ଛତିଶା ନିଯୋଗ ନାୟକ ଉପସ୍ଥିତ ରହି ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ କୋଭିଡ୍‌କୁ ନେଇ ଶ୍ରୀମନ୍ଦିର ଦର୍ଶନ ଉପରେ ମଧ୍ୟ ଏସ୍‌ଓପି ଜାରି କରାଯାଇଛି । ଭକ୍ତମାନେ ଏଣିକି ବାହାର କାଠ ପାଖରୁ ଦର୍ଶନ କରିବେ । କରୋନା ସଂକ୍ରମଣ ଦୃଷ୍ଟିରୁ ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ କଡାକଡି କରାଯାଇଛି । ଭକ୍ତ ଓ ସେବାୟତ ସମସ୍ତେ କୋଭିଡ୍‌-୧୯ ନିୟମ ପାଳନ କରିବେ ବୋଲି ବୈଠକରେ କୁହାଯାଇଛି । ଭିତରବେଢା ବ୍ୟାରିକେଟ୍ ବଡଦାଣ୍ଡ ସାନିଟାଇଜ୍ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ଆରଟିପିସିଆର ନିଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତା ମୂଳକ କରାଯାଇଛି । ଏହା ସାତ ଦିନ ଭିତରର କୋଭିଡ୍ ନେଗେଟିଭ୍ ରିପୋର୍ଟ ହୋଇଥିବା ଦରକାର । ଦୁଇଟି ଯାକ ଟିକା ନେଇଥିବା ଭକ୍ତମାନେ ରିପୋର୍ଟ ଦେଖାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ତେବେ ଭକ୍ତମାନଙ୍କ ପାଇଁ ଭିତରକାଠ ଦର୍ଶନ ବନ୍ଦ କରାଯାଇଛି । ବାହାରକାଠ ନିକଟରୁ ଭକ୍ତମାନେ ଶ୍ରୀ ଜିଉଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିର ଭିତରେ କୋଭିଡ୍ ନିୟମ ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସର ତିନିଟି ସ୍ୱତନ୍ତ୍ର ଟିମ୍ ନିୟୋଜିତ ହେବେ । ପରସ୍ପର ମଧ୍ୟରେ ସମନ୍ୱୟ ରଖି ସେମାନେ ନିୟମ ଅନୁପାଳନର ତଦାରଖ କରିବେ । ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Comments (0)
Add Comment