ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଏକ ଦାବିପତ୍ର ଦିଆଯାଇଛି । ଏହି ଦାବିପତ୍ର ଜିଲ୍ଲାପାଳଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ହାତରେ ଦିଆଯାଇଛି । ଭାଜପାର ଜିଲ୍ଲା କାର୍ଯ୍ୟାଳୟଠାରେ ଏ ବିଷୟରେ ଗଭୀର ମନ୍ଥନପରେ ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଏକ ମଣ୍ଡଳୀ ଏଥି ପାଇଁ ଯାଇଥିଲେ । ଏଥିରେ କୁହାଯାଇଛି ଯେ ଦୀର୍ଘ ଆଠ ମାସ ହେଲା ସମଗ୍ର ବିଶ୍ୱ ମହାମାରୀ କରୋନା ଚାପରେ ଗତି କରୁଛି । ଏଥିରୁ ଧନୀ, ଗରିବ, ସହରବାସୀ ହୁଅନ୍ତୁ କି ଗ୍ରାମବାସୀ କେହି ବଞ୍ଚି ନାହାନ୍ତି । ବିଶ୍ୱର ସବୁ ଦେଶ ଭଳି ଆମ ଦେଶ ଭାରତ ଓ ଦେଶର ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟ ଓଡିଶା ଏବଂ ରାଜ୍ୟର ଅନ୍ୟ ଜିଲ୍ଲା ଭଳି ଆମ ଜିଲ୍ଲା ସମ୍ବଲପୁର ମଧ୍ୟ ଏହି କରୋନାର ବିଭୀଷିକାକୁ ଅନୁଭବ କରିଚାଲିଛି । କିନ୍ତୁ ଆମ ଜିଲ୍ଲା ପରିପ୍ରେକ୍ଷୀରେ କୋଭିଡ-୧୯ ପ୍ରସଙ୍ଗ ଅନ୍ୟ ଅଞ୍ଚଳ ଠାରୁ ସମ୍ପୂର୍ଣ୍ଣ ଭିନ୍ନ, କାରଣ ସମ୍ବଲପୁର ଏକମାତ୍ର ଜିଲ୍ଲା ଯେଉଁଠି କି ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ବନ୍ଦକରି ଏକ କୋଭିଡ ହସ୍ପିଟାଲରେ ପରିବର୍ତ୍ତନ କରିଦିଆଗଲା । ବହୁ ରାଜନୈତିକ, ସାମାଜିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ବାରମ୍ବାର ବିରୋଧ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଏହି ଭୁଲ ନିଷ୍ପତ୍ତି କ୍ରମେ ଏହି ଜନବିରୋଧୀ କାର୍ଯ୍ୟ ହୋଇଥିଲା । ଯାହାର କୁଫଳ ଦୀର୍ଘ ମାସ ଯାଏଁ ଜିଲ୍ଲାବାସୀଙ୍କୁ ଭୋଗିବାକୁ ପଡ଼ିଥିଲା ତଥା ବହୁ ଅଣକୋଭିଡ ରୋଗୀ ନାହିଁ ନଥିବା ଦୁଃଖ ଯନ୍ତ୍ରଣା ଭୋଗିବା ସହ ମୃତ୍ୟୁବରଣ ମଧ୍ୟ କରିବାର ନଜିର ରହିଛି । ବିଳମ୍ବରେ ହେଉ ପଛେ ସରକାରଙ୍କ ଚେତା ପଶିଲା ଓ ବର୍ତ୍ତମାନ ବୁର୍ଲା ଭିମସାରରେ କୋଭିଡ ଚିକିତ୍ସାଳୟ ତିଆରି ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହୋଇଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ତରଫରୁ ଉକ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଜିଲ୍ଲାପାଳଙ୍କ ଗୋଚରାର୍ଥେ ଆଣିବା ସହିତ ଏବିଷୟରେ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ମଧ୍ୟ ଦାବି କରାଯାଇଛି । ଏଥିରେ କୁହାଯାଇଛି ଯେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କୋଭିଡ ଚିକିତ୍ସା ପାଇଁ ସ୍ଥାପିତ ଆଇସିୟୁ ଓ ଭେଣ୍ଟିଲେଟର ସେବା ଅବ୍ୟାହତ ରହୁ, ଯଦ୍ୱାରା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହିଁ ବହୁ ଗୁରୁତର ଓ ଜରୁରୀକାଳୀନ ରୋଗୀ ଏହାର ଲାଭ ପାଇବେ । ସମ୍ବଲପୁରର ବହୁ ପୁରାତନ ଡା. ଜନାର୍ଦ୍ଦନ ପୂଜାରୀ ମାତୃ ମଙ୍ଗଳ କେନ୍ଦ୍ର ଦୀର୍ଘ ବର୍ଷ ହେଲା ବନ୍ଦ ହୋଇ ପଡି ରହିଥିଲା ଓ ବର୍ଷ ବର୍ଷ ହେଲା ବିଭିନ୍ନ ଦାବି ପରେ ମଧ୍ୟ ସରକାର ଶୁଣି ନଥିଲେ । କିନ୍ତୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ବନ୍ଦହେବା ଓ ଚିକିତ୍ସା ର ବିକେନ୍ଦ୍ରିକରଣ ଯୋଗୁଁ ବର୍ତ୍ତମାନ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଚାଲୁ ରହିଛି । ତେଣୁ ଡା. ଜନାର୍ଦ୍ଦନ ପୂଜାରୀ ମାତୃ ମଙ୍ଗଳ କେନ୍ଦ୍ରକୁ ମଧ୍ୟ ଯଥାରୀତି ଚାଲୁ ରଖାଯାଉ । ମୁଖ୍ୟ ହସ୍ପିଟାଲ ସହିତ ସହର ଓ ସହରର ଆଖପାଖ ଓ ଜିଲ୍ଲାରେ ରହିଥିବା ବିଭିନ୍ନ ପିଏଚସି ଓ ସିଏଚସିମାନଙ୍କୁ ଉପଯୁକ୍ତ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପଦବୀ ପୂରଣ କରି ସେଗୁଡିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ । ଏହି ଦାବିଗୁଡିକୁ ଗୁରୁତ୍ୱ ସହକାରେ ଗ୍ରହଣକରି ଏହା ଉପରେ ଶୀଘ୍ର ଓ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଦାବି କରାଯାଇଛି ।