ପାରଳାଖେମୁଣ୍ଡି: ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟ ସରକାର ତଥା ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏ ସଂପର୍କରେ ଗଜପତି ଜିଲ୍ଲାପାଳ ଅନୁପମ ସାହ ଜିଲ୍ଲାବାସୀଙ୍କୁ ସତର୍କ ସୂଚନା ଜାରି କରିଛନ୍ତି । ସେ କହିଛନ୍ତି ଯେଉଁମାନେ ପାହାଡ ଉପରେ ବିପଦ ସଂକୁଳ ସ୍ଥାନ କିମ୍ବା ନଦୀ କୁଳିଆ ବନ୍ୟା ସମ୍ଭାବିତ କ୍ଷେତ୍ରରେ ରହୁଛନ୍ତି, ସେମାନେ ଦୟାପୂର୍ବକ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଉଚିତ ସମୟରେ ନିରାପଦ ସ୍ଥାନ ତଥା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ଯାଆନ୍ତୁ । ୨୧ ତାରିଖ ଯାଏଁ ସମସ୍ତ ଜିଲ୍ଲାବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି ।