କଣ୍ଟାବାଞ୍ଜି : ସ୍ୱାମୀ ପାଲଟିଛି ପିଶାଚ । ଯେଉଁ ହାତରୁ ସିନ୍ଦୁର ଭରିଥିଲେ ସେହି ହାତରୁ ତଣ୍ଟି ଚିପି ନିଜ ପତ୍ନୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହିଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ । ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା ।ମୃତକ ସ୍ତ୍ରୀ ହେଲେ ଉର୍ମିଳା ମାଝୀ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଧାମନଡଙ୍ଗା ଗାଁର ଜୟରାମ ମାଝୀ ଅନେକ ସମୟରେ ସ୍ତ୍ରୀଙ୍କ ସହ ଝଗଡା କରୁଥିଲେ । ଗତ କିଛି ଦିନ ହେବ ଉର୍ମିଳା ନିଜ ସ୍ୱାମୀଙ୍କ ନିର୍ଯାତନା ସହିନପାରି ନିଜ ପରିବାରକୁ ଜଣାଇଥିଲେ । ଉର୍ମିଳାଙ୍କ ପରିବାର ଏବଂ ଜୟରାମଙ୍କ ପରିବାର ଗାଁରେ ଏକ ବୈଠକ କରି ଝଗଡାର ସମଧାନ କରିଥିଲେ । ପରେ ଏହି ଝଗଡା ସମାଧାନ ନହେବା ଯୋଗୁ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ଉର୍ମିଳା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସୋମବାର ବିଳମ୍ବିତ ରାତିରେ ପୁଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଝଗଡା ଉଗ୍ର ରୂପ ନେବାରୁ ସ୍ୱାମୀ ଜୟରାମ ନିଜ ସ୍ତ୍ରୀ ଉର୍ମିଳାଙ୍କୁ ତଣ୍ଟିକୁ ବିଦ୍ୟୁତ ତାରରେ ଚିପି ହତ୍ୟା କରିଥିବା ଅଭିଯୋଗ ହେଉଛି । କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳରେ ପହଞ୍ଚ଼ି ମୃତଦେହ ଜବତ କରିବା ସହ ହତ୍ୟାକାରୀ ଜୟରାମ ମାଝୀଙ୍କୁ ଥାନାରେ ରଖି ଅଧିକ ତଦନ୍ତ ଆରମ୍ଭ କରିବା ସହ ଗୋଟିଏ କେଶ ନଂ ୧୨୯/୨୦୨୧ ରୁଜୁ କରିଛନ୍ତି । ମୃତକ ମହିଳାର ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାପଡିଛି ।