ବୌଦ୍ଧ ସହରାଞ୍ଚଳ ବ୍ୟବସାୟୀ ଓ ଜନସାଧାରଣଙ୍କୁ ନୋଟିସ ଜାରୀ କଲା ପ୍ରଶାସନ

ବୌଦ୍ଧ : ବୌଦ୍ଧ ସହରରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଚିନ୍ତାର ବିଷୟ । ସେଥିପାଇଁ ଆଜି ବୌଦ୍ଧଗଡ ଏନଏସି ପକ୍ଷରୁ ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଥିବା ସମସ୍ତ ବ୍ୟବସାୟୀ ଓ ଜନସାଧାରଣଙ୍କୁ ନୋଟିସ ଜାରୀ କରାଯାଇଛି । ସମସ୍ତ ଦୋକାନୀ ନିଜ ଦୋକାନରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଦୋକାନ ଆଗରେ ୬ ଫୁଟ ବ୍ୟବଧାନରେ ବୃତ୍ତ ଅଙ୍କନ କରିବେ ଓ ସେଠାରେ ଛିଡା ହେବା ପାଇଁ ଗ୍ରାହକଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି । ଘରୁ ବାହାରକୁ ବାହାରିବା ସମୟରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ସୂଚନା ଦିଆଯାଇଅଛି । ଯେଉଁ ଗ୍ରାହକ ମାସ୍କ ପିନ୍ଧି ନଥିବେ ତାଙ୍କୁ କୌଣସି ଜିନିଷ ବିକ୍ରୀ ନ କରିବାକୁ ଦୋକାନୀ ମାନଙ୍କୁ ଅନୁରୋଧ କରାଯାଇଛି । ଯେଉଁ ୱାର୍ଡ ମାନଙ୍କରେ ଅଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସେ ୱାର୍ଡର ଜନସାଧାରଣ ନିଜେ ନିଜର କୋଭିଡ୍ ପରୀକ୍ଷା କରାଇ ନିଅନ୍ତୁ ଓ ସୁସ୍ଥ ରହନ୍ତୁ ବୋଲି ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ଅନୁରୋଧ କରିଛନ୍ତି । ସାମାଜିକ ଦୂରତା ରକ୍ଷା କରୁନଥିବା ବ୍ୟବସାୟୀକ ପ୍ରତିଷ୍ଠାନ ଓ ମାସ୍କ ପିନ୍ଧି ନଥିବା ଜନସାଧାରଣଙ୍କୁ କଠୋର ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏନଏସି ପକ୍ଷରୁ ଚେତାବନୀ ଦିଆଯାଇଛି ।

Comments (0)
Add Comment