ପାଟନା : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଉପରେ ବର୍ତ୍ତମାନ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି । ତଦନ୍ତ ଜାରି ରହିଥିବାବେଳେ ସୁଶାନ୍ତଙ୍କ ପରିବାର ପକ୍ଷରୁ ଏବେ ଏକ ୯ପୃଷ୍ଠା ସମ୍ବଳିତ ଖୋଲା ଚିଠି ଜାରି କରାଯାଇଛି । ସେଥିରେ ପରିବାର ଏବଂ ମୃତ୍ୟୁଘଟଣା ସାଙ୍ଗକୁ ବର୍ତ୍ତମାନର ସ୍ଥିତି ସଂପର୍କରେ ଅନେକ କଥା ଉଲ୍ଲେଖ କରାଯାଇଛି । ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବା ପରଠୁ ପରିବାର ସଦସ୍ୟମାନେ ବାରମ୍ବାର ଧମକ ମିଳୁଛି ବୋଲି ଚିଠିରେ ଅଭିଯୋଗ କରାଯାଇଛି । ଶିବସେନା ସାଂସଦ ସଂଜୟ ରାୱତ ସୁଶାନ୍ତ ବାପାଙ୍କ ସଂପର୍କରେ ବିବୃତି ଦେବାର ଦିନକ ପରେ ଏଭଳି ଚିଠି ବା ବୟାନ ଜାରି କରାଯାଇଛି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚିଠି ହିନ୍ଦୀରେ ଲେଖାଯାଇଛି । ଏକ ଗାଁରୁ ସହରକୁ କିପରି ଆସିଲେ ଏବଂ ବର୍ତ୍ତମାନ ସୁଦ୍ଧା କିଭଳି ଭାବେ ପରିବାର ଗତି କରିଛି ସେ ସଂପର୍କରେ ଅନେକ ତଥ୍ୟ ଏଥିରେ ରହିଛି । ଚିଠିରେ କୁହାଯାଇଛି ଯେ, ସୁଶାନ୍ତଙ୍କ ମୃତ୍ୟୁ ଏବଂ ତଦନ୍ତ ପରେ ପରିବାର ଲୋକଙ୍କୁ ବିଭିନ୍ନ ପ୍ରକାର ଧମକ ମିଳୁଛି । ଏ ସଂପର୍କରେ ପୁଲିସ ମଧ୍ୟ ଅବଗତ ଅଛି । ଏବେ ପ୍ରତ୍ୟେକ ଦିନ ଜଟିଳ ଦିନ ରୂପ ଧାରଣ କରୁଛି । ପରିସ୍ଥିତି ଯେଭଳି ଭାବରେ ଗତି କରୁଛି, ସେଥିରେ ସୁଶାନ୍ତଙ୍କୁ ନ୍ୟାୟ ମିଳିବ କି ନାହିଁ ସେ ନେଇ ଚିଠିରେ ସନ୍ଦେହ ପ୍ରକାଶ କରାଯାଇଛି । ଏହା ଏକ ଅତି ଜଟିଳ ଓ ସମ୍ବେଦନଶୀଳ ଘଟଣା । ତଦନ୍ତ ଯଦି ନିରପେକ୍ଷ ଭାବରେ ହୁଏ ତା\’ହେଲେ ଆଶାନୁରୂପ ଫଳାଫଳ ମିଳିବ ବୋଲି ତାଙ୍କ ପରିବାର ଆଶାବ୍ୟକ୍ତ କରିଛନ୍ତି । ଇତି ମଧ୍ୟରେ ସମଗ୍ର ଘଟଣାର ପ୍ରମୁଖ ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨୦ ଘଣ୍ଟା ଜେରା କରିସାରିଲାଣି । ରିୟାଙ୍କ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଜେରା କରାଯାଉଛି । ଗୁରୁବାର ସୁପ୍ରିମକୋର୍ଟ ଏକ ଆବେଦନ ଉପରେ ଶୁଣାଣି କରିବାର ଅଛି । ଏହାପରେ ସିବିଆଇର ତଦନ୍ତ କାର୍ଯ୍ୟ ନୂଆ ମୋଡ ନେଇପାରେ ବୋଲି ଅନୁମାନ କରାଯାଉଛି ।