କୁମାରୀ ବଡଯୋର ନାଳ ଉପରେ ପୋଲ ନିର୍ମାଣ ଦାବି

ହରଭଙ୍ଗା : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟିକୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି । ହେଲେ ଅବହେଳିତ ହରଭଙ୍ଗା ବ୍ଲକର ହରଭଙ୍ଗାଠାରୁ ଅତଲସରା ଭାୟା କୁମାରୀ ଦେଇ ଯାଇଥିବା ଜଗନ୍ନାଥ ସଡକର ଆଜି ପର୍ଯ୍ୟନ୍ତ କୌମସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ । ଫଳରେ ଦେଶ ସ୍ୱାଧୀନ ହେବାର ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା ଏହି ଅଂଚଳର କୌଣସି କାମ ହୋଇନାହିଁ । ଏହି ରାସ୍ତାଟି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅଟେ । ଏହି ଗ୍ରାମ୍ୟ ରାସ୍ତାଟି ମରଣଯନ୍ତାରେ ପରିଣିତ ହୋଇଛି । ପଥଚାରୀ ଗମନାଗମନ ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରଶାସନ ତରଫରୁ ଏହାର ପ୍ରତିକାର ଦିଗରେ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ଦିନରେ ଗଣ ଆନ୍ଦୋଳନର ରୂପ ନେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ସେହିପରି ରାସ୍ତାର କୁମାର ଗାଁ ନିକଟରେ ଏକ ବଡ ଯୋର ନାଳ ପଡେ । ଏହି ନାଳ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ବହୁ ଦିନରୁ ଦାବି ହୋଇଆସୁଛି । ହେଲେ ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସାଧାରଣରେ ଜନ ଅସନ୍ତୋଷ ଦେଖାଦେଇଛି ।

ଏହି ନାଳଟି କେବଳ ବର୍ଷାଋତୁକୁ ବାଦ ଦେଲେ ବର୍ଷର ଅନ୍ୟ ସମୟରେ ସଂପୂର୍ଣ୍ଣ ଶୁଖିଲା ପଡିଥାଏ । ତେଣୁ ବର୍ଷ ତମାମ ଉକ୍ତ ନାଳ ବାଟ ଦେଇ ଲୋକମାନେ ଯାତାୟତ କରନ୍ତି । ମାତ୍ର ବର୍ଷା ୩ ମାସ ଉକ୍ତ ନାଳ ଉପରେ ଲୋକମାନେ ଦେଶୀ ଡଙ୍ଗା ସାହାଯ୍ୟରେ ଯିବାଆସିବା କରନ୍ତି । ବର୍ଷ ଦିନେ କୁମାରୀ, ଅତଲସରା, ତିରଡ ଆଦି ଅଂଚଳ ଜଳବନ୍ଧୀ ଅବସ୍ଥାରେ ରହୁଛନ୍ତି । ପ୍ରକାଶଥାଉକି ରାଜ୍ୟ ସରକାର ବିଜୁ ସେତୁ ଯୋଜନାରେ ବିଭିନ୍ନ ନଦୀ ଉପରେ କୋଟିକୋଟି ଟଙ୍କା ବ୍ୟୟ କରି ସେତୁ ନିର୍ମାଣ କରୁଥିଲେ ହେଁ ଦୀପତଳ ଅନ୍ଧାର ପରି ଏହି କୁମାରୀ ବଡଯୋର ନାଳ ଉପରେ ପୋଲ ନିର୍ମାଣ ଯୋଜନାଟି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି । କୁମାରୀ ନାଳ ଉପରେ ସେତୁ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ କୁଶଙ୍ଗ ପଞ୍ଚାୟତବାସୀ ଦାବି କରିଛନ୍ତି । ଏଥିପ୍ରତି କନ୍ଧମାଳ ସାଂସଦ, ବୌଦ୍ଧ ବିଧାୟକ ଓ ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

Comments (0)
Add Comment