ପୋଲିସ ଏନକାଉଣ୍ଟରରେ ଜଣେ ପିଏଲଏଫଆଇ ସଦସ୍ୟ ମୃତ୍ୟୁ, ୫ ଗିରଫ

ରାଉରକେଲା : ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ ମାଓବାଦୀ ସଙ୍ଗଠନର ଶାଖା ପିଏଲଏଫଆଇ ର ସଦସ୍ୟ ପଣ୍ଡିତର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଏନକାଉଣ୍ଟରରେ ଆହତ ଥିବା ପ୍ରବୀଣ କାଣ୍ଡୁଲାନା ଆହତ ଥିବା ଯୋଗୁଁ ଚିକିତ୍ସା ପାଇଁ ରିମ୍‌ସ ପଠାଯାଇଛି । ତେବେ ଏହି ଅପରେସନରେ ପିଏଲଏଫଆଇ ସଦସ୍ୟ ହେମନ୍ତ ଟୋପନା, ମୋଇଲେନ ବର୍ଡିଂ, ବିର୍ଷା କୋଙ୍ଗଡି, ଜନସନ ବାର୍ଲାକୁ ପୋଲିସ ଗିରଫ କରିଛି । ସୀମାନ୍ତରେ ପିଏଲଏଫଆଇ ଗତିବିଧି ବୃଦ୍ଧି ପାଇଥିବାରୁ ପୋଲିସ ଏମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ସବଜୋନାଲ କମାଣ୍ଡର ସୂଚିତ ସିଂହଙ୍କ ନେତୃତ୍ୱରେ ଜଙ୍ଗଲରେ ବହୁ ସଂଖ୍ୟାରେ ପିଏଲଏଫଆଇ ସଦସ୍ୟ ଏକତ୍ରିତ ହୋଇଥିବାର ଖବର ପାଇ ସିମଡେଗା ଏସପି ସଞ୍ଜୀବ କୁମାରଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ଏମାନଙ୍କୁ ଧରିବା ପାଇଁ ଯାଇଥିଲା । ପୋଲିସକୁ ଦେଖି ପିଏଲଏଫଆଇ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଏହାପରେ ଅନେକ ସମୟ ଧରି ପୋଲିସର ଅପରେସନ ପରେ ଜଣେ ପିଏଲଏଫଆଇ ସଦସ୍ୟର ମୃତ୍ୟୁ ହେବା ସହ ୫ ଜଣ ଗିରଫ ହୋଇଛନ୍ତି । ଗିରଫ ପିଏଲଏଫଆଇ ସଦସ୍ୟଙ୍କ ଠାରୁ ଏକେ-୪୭ ରାଇଫଲ୍ ସହ ବହୁ ସଂଖ୍ୟାରେ ବନ୍ଧୁକ ଗୁଳି ତଥା ଅନ୍ୟ ସାମଗ୍ରୀ ଜବତ କରାଯାଇଛି ।

Comments (0)
Add Comment