ନବରଙ୍ଗପୁରରେ କ୍ରାନ୍ତି ଦିବସ ପାଳନ

ନବରଙ୍ଗପୁର: ନବରଙ୍ଗପୁର ଆରସିଡି ଉଚ୍ଚ ବିଦ୍ୟାଳୟ ପରିସରରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ବିକାଶ ପରିଷଦ, ନେହେରୁ ଯୁବ କେନ୍ଦ୍ର, ପ୍ରୋଜେକ୍ଟ ପଏଣ୍ଟ ଆନୁକୂଲ୍ୟରେ ଏହି ଦିବସ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରିୟା ନାୟକ, ସମାଜସେବୀ ଜଗନ୍ନାଥ ମହାପାତ୍ର, ପରିଷଦର ଅଧ୍ୟକ୍ଷ ସିରଜ୍ଜୁଦ୍ଦିନ ଅହମ୍ମଦ, ମୁଖ୍ୟବକ୍ତା ବିଜୟ ମିଶ୍ର, ମାଆ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ମଞ୍ଚସିନ ହୋଇଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ନେହେରୁ ଯୁବକେନ୍ଦ୍ର ପକ୍ଷରୁ ପ୍ରକାଶିତ “ଶିଶୁ ସୁରକ୍ଷା, ଜଳ ପରିମଳ ତଥା କୋଭିଡ-୧୯ ପରିଚାଳନା’ ସମ୍ପର୍କିତ ପୁସ୍ତକକୁ ଅତିଥିମାନେ ପ୍ରଦର୍ଶନ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନର ୮୦ ବର୍ଷ ପୂର୍ତ୍ତି ଅବସରରେ ପାଳିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଦେଶ ସ୍ୱାଧୀନତାରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଭୂମିକା ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରେଇଥିଲେ । ସମାଜସେବୀ ଜଗନ୍ନାଥ ମହାପାତ୍ର ସ୍ୱାଧୀନତା ଆନ୍ଦୋଳନରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ ସମ୍ପର୍କରେ ସୂଚନା ଦେବା ପାପଡାହାଣ୍ଡି ଗୁଳିକାଣ୍ଡ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ଜଗନ୍ନାଥ ମହାପାତ୍ର, ଜେମାମଣି ବିଷୋୟୀ, କାଦମ୍ବିନୀ ତ୍ରିପାଠୀ, ଜେମାମଣି ବିଷୋୟୀଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଶେଷରେ ଉଚ୍ଚ ବିଦ୍ୟାଳୟଠାରୁ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ବ୍ରିଟିଶ ଅମଳର ଜେଲ ଗୃହ ପର୍ଯ୍ୟନ୍ତ ଏକ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସେଠାରେ ଜାତୀୟ ପତାକା ସ୍ଥାପନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସିରଜ୍ଜୁଦ୍ଦିନ ଅହମ୍ମଦ ପରିଚାଳନା କରିଥିଲେ ।

Comments (0)
Add Comment