ଭଦ୍ରକ : ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରୁ ଟ୍ରେନ ଯୋଗେ ଓଡ଼ିଶା ଆସିଲେ ପ୍ରବାସୀ ଓଡ଼ିଆ । ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଓଡ଼ିଶାକୁ ଆସୁଥିବା ଏହି ପ୍ରବାସୀ ଓଡ଼ିଆ ଭଦ୍ରକ ରେଳ ଷ୍ଟେସନ ପୂର୍ବରୁ ଅନ୍ୟ ଷ୍ଟେସନରେ ଅଟକି ସେଠାକାର ନିକଟବର୍ତ୍ତୀ ଜିଲ୍ଲାର ପ୍ରବାସୀଙ୍କୁ ଉହ୍ଲାଇ ଦେଇ ଭଦ୍ରକରେ ପହଞ୍ଚିଲା । ଚରମ୍ପା ଷ୍ଟେସନରେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର ଓ ମୟୁରଭଂଜକୁ ଯିବା ପାଇଁ ରହିଥିବା ପ୍ରବାସୀ ଉହ୍ଲାଇଲେ । ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ସର୍ବାଧିକ ୨୧୭ଜଣ, ଭଦ୍ରକ ଜିଲ୍ଲାର ୧୫୭ଜଣ, କେନ୍ଦୁଝର ଜିଲ୍ଲାର ୨ଜଣ ପ୍ରବାସୀ ଥିବା ବେଳେ ବାଲେଶ୍ୱର, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାର ଜଣେ ଲେଖାଏଁ ପ୍ରବାସୀ ଓଡ଼ିଆ ରହିଛନ୍ତି । ଏମାନେ ସମସ୍ତଙ୍କୁ ମିଶାଇ ଭଦ୍ରକରେ ମୋଟ ୩୭୯ଜଣ ଉହ୍ଲାଇଲେ । ସନ୍ଧ୍ୟା ୫ଟାରେ ଆସି ପହଞ୍ଚିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ ଆସିବାରେ ବିଳମ୍ବ ହୋଇ ରାତି ୯ ଟାରେ ପହଁଚିଛି। ତେବେ ଏହି ଯାତ୍ରୀମାନଙ୍କ ଉହ୍ଲାଇବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । କିନ୍ତୁ ନଥିଲା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ସାମାଜିକ ଦୂରତା l ଭଦ୍ରକ ଜିଲ୍ଲା ପାଇଁ ନିୟୋଜିତ ରାଜ୍ୟ ସରକାରଙ୍କ ପର୍ଯ୍ୟବେକ୍ଷକ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ, ଜିଲ୍ଳାପାଳ ଡ. ଜ୍ଞାନ ଦାସ, ପିଡି ମଧୁସୂଦନ ଦାସ, ଅତରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଓ ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ପିଡି ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ପୁଲିସ ବିଭାଗର ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ତଥା ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ ।