ସୁରତ ଫେରନ୍ତାଙ୍କୁ ପୁରାଇ ନଦେବା ପାଇଁ ଲୋକେ ହେଲେଣି ସଜବାଜ, ବଢ଼ିଲା ଅଶାନ୍ତି

ଭୁବନେଶ୍ୱର: ଗତ କିଛିଦିନ ଧରି ପ୍ରବାସୀ ଓଡ଼ିଆ, ଯେଉଁମାନେ ଗୁଜୁରାଟର ସୁରତ ସହରରୁ ଓଡ଼ିଶା ଫେରୁଛନ୍ତି ସେମାନଙ୍କଠାରେ କରୋନା ପଜିଟିଭ୍ ଲକ୍ଷଣ ଅଧିକ ଦେଖାଯାଉଥିବାରୁ ତାଙ୍କୁ ଜିଲ୍ଲାରେ ଆଉ ନପୁରାଇ ଦେବା ପାଇଁ ଗଂଜାମବାସୀ ଚିନ୍ତା କଲେଣି । ଏହାକୁ ନେଇ ଆଜି ସୁରତ ଫେରନ୍ତାଙ୍କୁ ବିରୋଧ କରି ସେମାନଙ୍କୁ ଏଠାକୁ ନଆଣିବା ପାଇଁ ଜିଲ୍କାବାସୀ ପୁଲିସ୍ ଉପରେ ଚାପ ପକାଇଛନ୍ତି । ଏଭଳି ଘଟଣା ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି । ଗତକାଲି ରାତିରେ ଏବଂ ଆଜି ସକାଳେ ଏହି ଘଟଣା ସେଠାରେ ଅଶାନ୍ତି ସୃଷ୍ଟି କରିଛି । ଗ୍ରାମବାସୀମାନେ ନିଜ ଜିଦ୍‌ରେ ଅଟଳ ରହି ସୁରତ୍ ଫେରନ୍ତାଙ୍କୁ ଗ୍ରାମରେ ପୁରାଇ ନଦେବା ପାଇଁ କହିବାରୁ ପୁଲିସ୍ ସହିତ ଉଚ୍ଚବାଚ୍ଚ ହୋଇଥିଲା । ଉତ୍ୟକ୍ତ ଲୋକେ ଉକ୍ତ ଘଟଣାରେ ପୁଲିସ୍ ଉପରକୁ ପଥର ପିଙ୍ଗିଥିବା ବେଳେ ପୁଲିସ୍ ମଧ୍ୟ ମୃଦୁ ଲାଠି ଚାଳନା କରିଥିବା ଜଣାପଡ଼ିଛି । ଉଲ୍ଳେଖଯୋଗ୍ୟ ଯେ, ଗଂଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୁଲିସ୍ ଏକ ସ୍ୱତନ୍ତ୍ର ବସ୍ ଯୋଗେ ୪୦ଜଣ ସୁରତ ଫେରନ୍ତାଙ୍କୁ ନେଇ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ସଂଗରୋଧ (କ୍ୱାରେଣ୍ଟାଇନ୍‌) ସେଣ୍ଟରକୁ ରଖିବାକୁ ଯାଇଥିଲେ । ଏମାନଙ୍କ ମଧ୍ୟରେ ୧୧ ଜଣ ସାନ ଆର୍ଯ୍ୟପଲ୍ଲୀର ଲୋକ ଥିଲେ । ଏହି ଖବର ପାଇଁ ସାନ ଆର୍ଯ୍ୟପଲ୍ଲୀର ଲୋକେ ପୁଲିସ୍‌କୁ ଆଗେ ବୁଝାଇଥିଲେ । ସୁରତ ଫେରନ୍ତାଙ୍କଠାରେ ଅଧିକ ମାତ୍ରାରେ ପଜିଟିଭ୍ ଲକ୍ଷଣ ଦେଖାଯାଉଥିବାରୁ ସେମାନଙ୍କ ଅଞ୍ଚଳରେ ଏହା ସଂକ୍ରମଣକୁ ବଢ଼ାଇବାର ଆଶଙ୍କା ରହିଛି । ଏଣୁ ଆମେ ସେମାନଙ୍କୁ ଏଠାରେ ରଖାଇ ଦେବୁ ନାହିଁ । ଏହାକୁ ନେଇ ଉତ୍ତେଜନା ବଢ଼ିବାରୁ ପୁଲିସ୍ ଗ୍ରାମବାସୀଙ୍କ ସହିତ ଅଧିକ ନବଢ଼ି ସମସ୍ତ ସୁରତ ଫେରନ୍ତାଙ୍କୁ ସାଙ୍ଗରେ ଧରି ଫେରି ଯାଇଥିଲା ।

Comments (0)
Add Comment