ବୈାଦ୍ଧ : ବୌଦ୍ଧବ୍ଲକ ବଘିଆପଡା ଗ୍ରାମପଞ୍ଚାୟତର ପାଲଝାର ଠାରେ କୃଷିବିଭାଗ ପରିଚାଳିତ ପାଲଝାର କୃଷି ଫାର୍ମ ଦୁର୍ନୀତିର ଅନେକ ଗୁମର ଖୋଲିବାରେ ଲାଗିଛି । ଫାର୍ମର ନିଜସ୍ୱ ତିନିଗୋଟି ଟ୍ରାକ୍ଟର ରହିଥିଲେ ମଧ୍ୟ ଭଡାରେ ଟ୍ରାକ୍ଟର ଲଗାଇ ବର୍ଷକୁ ପାଖାପାଖି ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ଭଳି ତଥ୍ୟ ଏବେ ପଦାକୁ ଆସିଛି । ସାମାନ୍ୟ ମରାମତି କରାଗଲେ ଫାର୍ମର ସମସ୍ତ ଟ୍ରାକ୍ଟରଗୁଡିକ ସଚଳ କରାଯାଇପାରିବ ମାତ୍ର ବିଭାଗୀୟ ଅଧିକାରୀମାନେ ତାହା ନକରି ଟ୍ରାକ୍ଟରଗୁଡିକ ସଚଳ କରାଯାଇପାରିବ ମାତ୍ର ବିଭାଗୀୟ ଅଧିକାରୀମାନେ ତାହା ନକରି ଟ୍ରାକ୍ଟର ଗୁଡିକୁ ଖତ ଖାଇବାକୁ ଛାଡି ଦେଇଛନ୍ତି । ସରକାର କା ମାଲ୍ ଦରିଆ ମେ ଡାଲ୍ ନ୍ୟାୟରେ ସେଗୁଡିକ ପଡିପଡି ନଷ୍ଟ ହୋଇଚାଲିଛି ।
ଅପରପକ୍ଷରେ ଫାର୍ମରେ କାର୍ଯ୍ୟରତ ଜଣେ ସ୍ଥାୟୀ ଶ୍ରମିକଙ୍କ ନିଜ ସଂପର୍କୀୟଙ୍କ ଟ୍ରାକ୍ଟରକୁ ବିନା ଟେଣ୍ଡରରେ ଫାର୍ମରେ ଭଡାରେ ଲଗାଇ ବାର୍ଷିକ ୫ଲକ୍ଷ ଟଙ୍କା ଭଡାଦେଇ ରାଧେ ରାଧେ ଅଧେ ଅଧେ ଚାଲିଛି । ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଟ୍ରାକ୍ଟର ଭଡାରେ ଲଗାଇବାପାଇଁ ଟ୍ରାକ୍ଟର ମାଲିକ ମାନଙ୍କଠାରୁ କୋଟେସନ ମଗାଯିବା କଥା ମାତ୍ର ଏଠାରେ ତାହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ମାର୍ଗଦର୍ଶିକା ଅନୁଯାୟୀ ଗୋଟିଏ ହେକ୍ଟର ଜମି ଚାଷକରିବା ପାଇଁ ୨.୫୦ ଘଣ୍ଟା ଓ କାଦୁଅ କରିବାପାଇଁ ୪ଘଣ୍ଟା ସମୟ ନିର୍ଦ୍ଧାରଣ କରାଯାଇଥିବାବେଳେ ତାହାକୁ ମଧ୍ୟ ଅଣଦେଖା କରାଯାଇଛି । ହେକ୍ଟର ପିଛା ପ୍ରାୟ ୧୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହଳକରିଥିବା ଦର୍ଶାଇ ସେହି ପରିମାଣରେ ଭଡା ପ୍ରଦାନ କରାଯାଇଥିବା ବିଲ୍ କରାଯାଇଛି ।
ପାଲଝାର ଫାର୍ମର ଦୁର୍ନୀତି ଅନିୟମିତତା ସଂପର୍କରେ ଅନେକ ଅଭିଯୋଗ ହେଉଥିଲେ ମଧ୍ୟ ତାହାର ବିଭାଗୀୟ ତଦନ୍ତ ହେଉନଥିବା ସମସ୍ତଙ୍କୁ ବିସ୍ମିତ କରିଛି । କୃଷି ସଚିବ ଓ ନିର୍ଦ୍ଦେଶକ ଏହାର ତଦନ୍ତ ଦାୟି୍ତ ଭିଜିଲାନ୍ସ ବିଭାଗକୁ ଦେଲେ ପ୍ରତିବର୍ଷ ହେଉଥିବା ଲକ୍ଷଲକ୍ଷ ଟଙ୍କା ଦୁର୍ନୀତିର ପର୍ଦ୍ଦାଫାଶ ହୋଇପାରିବ ବୋଲି ଜନସାଧାରଣରେ ଦାବି ହେଉଛି ।