ଭୁବନେଶ୍ୱର : ସୃଷ୍ଟି ହୋଇଥିବା ଲଘୁଚାପ ଓ ଏହାର ଅବପାତ ରୂପ ଓଡିଶାରେ ବାତ୍ୟା ଭୟକୁ ଅଧିକ ଘନାଇଛି । ଉତ୍ତର ଓଡିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ମାଡ ହେବା ଆଶଙ୍କା ଅଧିକ ଘନିଭୂତ ହୋଇଛି । ଭାରତୀୟ ପାଣିପାଗ ବିଭାଗ କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ସ୍ପଷ୍ଟ କରିନଥିଲେ ମଧ୍ୟ ଅତିରୁ ଅତି ଖରାପ ସ୍ଥିତି ପାଇଁ ପ୍ରସ୍ତୁତ ହେବାକୁ ଓଡିଶା ସରକାରଙ୍କୁ ନିର୍ଦ୍ଦେଶ କରିଛି । ବାତ୍ୟାକୁ ହାଲକା ଭାବରେ ନ ନେବା ପାଇଁ ସବୁ ପରିସ୍ଥିତିକୁ ସଜାଗ ରହିବା ପାଇଁ ଆଇଏମ୍ଡିର ସୂଚନା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡକାଇ ବାତ୍ୟା ସଂପର୍କରେ ସୂଚନା ଦେଇଛନ୍ତି । ସାମ୍ଭବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କୁ ସହିତ ଶ୍ରୀ ତ୍ରିପାଠୀ ଆଜି ଆଲୋଚନା କରିଛନ୍ତି । ଏହି କ୍ରମରେ ସେ କହିଛନ୍ତି ଯେ, ବାତ୍ୟା ମୁକାବିଲା ନେଇ ଓଡିଶା ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛି । ଆପଣମାନଙ୍କୁ ଏଭଳି ସ୍ଥିତିରେ କ’ଣ କରିବାକୁ ପଡିବ କହିବା ଅନାବଶ୍ୟକ । ମାତ୍ର ପରିସ୍ଥିତିର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ସ୍ୱତନ୍ତ୍ର ରିଲିଫ କମିଶନର ତଥା ଏସ୍ଆରସି ପ୍ରଦୀପ ଜେନା ବାତ୍ୟା ମୁକାବିଲା ପ୍ରସଂଗରେ କହିଛନ୍ତି ଯେ, ଆଇଏମ୍ଡି ସୂଚନା ଅନୁଯାୟୀ ଲଘୁଚାପ ଆଜି ସଂଧ୍ୟାରେ ଅବପାତ ନେବ । କାଲି ସଂଧ୍ୟା ବେଳକୁ ତାହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟାର ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୧୭ ତାରିଖ ସଂଧ୍ୟା ପରେ ଏହା ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗକୁ ଗତି କରିବ । ତେବେ କେଉଁଠି ଏହା ସ୍ଥଳଭାଗ ଛୁଇଁବ ସେ ସଂପର୍କରେ ବାତ୍ୟାର ଗତିରୁ ବୁଝାପଡି ନାହିଁ । ଏଥିପାଇଁ ଆସନ୍ତା ୨୪ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ପଶ୍ଚିମବଙ୍ଗ, ବାଂଲାଦେଶ ବା ଅନ୍ୟ କେଉଁଠି ଲ୍ୟାଣ୍ଡଫଲ୍ କରିପାରେ । ତେବେ ପୂର୍ବାନୁମାନ ଯାଇ ଉତ୍ତର ଓଡିଶା ବିଶେଷ କରି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ପ୍ରଭାବିତ ହୋଇପାରେ । ତେଣୁ ଆମେ ବାତ୍ୟାର ଗତିବିଧି ଉପରେ ମନିଟରିଂ କରୁଛୁ । ଏହି ଅନୁଯାୟୀ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ବର୍ତ୍ତମାନ ପରିସ୍ଥିତିରେ କରୋନାର ଭୟାବହତାରେ ଯେଉଁ ସବୁ ସ୍ଥାନରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମିତ ହୋଇଥିଲା ସେଠାରେ ଏବେ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଛି । ତେବେ ଗୁରୁତ୍ୱ ଦୃଷ୍ଟିରୁ ଆବଶ୍ୟକ ପଡିଲେ ତଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ସ୍କୁଲ, ପଞ୍ଚାୟତ ଗୃହ ବ୍ୟବସ୍ଥା କରାଯିବ । ସରପଞ୍ଚ ଓ ସ୍କୁଲ ଶିକ୍ଷକ ଏହି ସେଲଟର ହୋମର ଦାୟିତ୍ୱରେ ରହିବେ । ପୁଲିସ, ଅଗ୍ନିଶମ, ଏନ୍ଡିଆର୍ଏଫ୍ ସହ ଆଜି ପ୍ରାଥମିକ ଆଲୋଚନା ହୋଇଛି । ୪ ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତିସଂପୁର, କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସହିତ ଆଲୋଚନା ମଧ୍ୟ ଶେଷ ହୋଇଛି । ରାସ୍ତାଘାଟ ସଫା, ପାନୀୟ ଜଳ ବ୍ୟବସ୍ଥା, ଶୁଖିଲା ଖାଦ୍ୟ ମହଜୁଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜିଠାରୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜିବୀମାନଙ୍କୁ ସତର୍କ କରାଇ ଦିଆଯାଇଛି । ସେହିପରି ସାମ୍ଭବ୍ୟ ବାତ୍ୟା ନେଇ ସମବାୟ, ଜଳସଂପଦ ଓ ଶକ୍ତି ବିଭାଗକୁ ଜାଗତିଆର କରାଯାଇଛି । ବନ୍ୟା ପରିସ୍ଥିତି ହେବ ନାହିଁ ବୋଲି ଆକଳନ ଥିଲେ ମଧ୍ୟ ବନ୍ୟାର ଗତିବିଧି ସ୍ପଷ୍ଟ ହେଉନଥିବାରୁ ସାମ୍ଭବ୍ୟ ବାତ୍ୟାର ଆଶଙ୍କାରେ ଆମକୁ ଏଭଳି ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡିବ ବୋଲି ଏସଆରସି କହିଥିଲେ । ସେ କହିଥିଲେ ସମୁଦ୍ର କୂଳରୁ ୩ କି.ମି.ରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରଗୁଡିକୁ ମଧ୍ୟ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି କରାଯାଇଛି । ପରିସ୍ଥିତି ଦେଖି ଜିଲ୍ଲାପାଳମାନେ ଗଜପତିରୁ ମୟୁରଭଞ୍ଜ ଯାଏ ୧୨ଟି ଜିଲ୍ଲା ସତର୍କ ରହିବେ । ସେହିଭଳି ଏହି ସବୁ ଜିଲ୍ଲାଗୁଡିକର ସରକାରୀ କର୍ମଚାରୀଙ୍କର ଛୁଟି ବାତିଲ କରାଯାଇଛି ବୋଲି ସେ କହିଥିଲେ ।