ମାଁ ସମଲେଇଙ୍କ ରାଜରାଜେଶ୍ୱରୀ ବେଶ ଓ ନୂତନ ଧ୍ୱଜାରୋହଣ

ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଗତକାଲି ପବିତ୍ର ଶରଦ ପୂର୍ଣ୍ଣିମା ଅବସରରେ ରାଜରାଜେଶ୍ୱରୀ ବେଶ ହେବା ସହିତ ବିଳମ୍ବିତ ସନ୍ଧ୍ୟାରେ ମନ୍ଦିର କଳସ ଉପରେ ନୂତନ ଧ୍ୱଜାରୋହଣ ହୋଇଯାଇଛି । ମନ୍ଦିରର ଏହି ପରମ୍ପରା ବିଗତ ୪ଶହ ବର୍ଷ ହେଲା ପାଳିତ ହୋଇଆସୁଛି ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ସୂତ୍ରରୁ ପ୍ରକାଶ । ବର୍ତ୍ତମାନ କୋଭିଡ କଟକଣା ପରିପ୍ରେକ୍ଷୀରେ ଅତି ସୀମିତ ସଂଖ୍ୟାରେ ଭକ୍ତ, ଅଧିକାରୀ ଓ ସାମ୍ବାଦିକମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା ।

ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଗତ ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ ପୂଜାର୍ଚ୍ଚନା ଉପରାନ୍ତ ମନ୍ଦିର ପୂଜକମାନେ ସାତଟି ଦୀପଧରି ମନ୍ଦିର ଚାରି ପଟେ ସାତ ଥର ପରିକ୍ରମା କରିଥିଲେ । ଏହି ମହାଦୀପକୁ ମନ୍ଦିର ଚୂଡା ପର୍ଯ୍ୟନ୍ତ ନିଆଗଲା ଓ ସେଠାରେ ନୂତନ ଧ୍ୱଜାରୋହଣ କରାଗଲା । କଟକଣା ପରିପ୍ରେକ୍ଷୀରେ ମନ୍ଦିର ପ୍ରବେଶ ନିଷେଧ ସତ୍ତେ୍ୱ ବାହାରେ ଶ୍ରଦ୍ଧାଳୁମାନେ ଏହା ଦେଖି ଉଲ୍ଲସିତ ହୋଇଥିଲେ ।

Comments (0)
Add Comment