ଦାରିଦ୍ରର ଅନ୍ୟନାମ ସୁବାଷ ନାୟକ

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌, ଟାକରା ଗ୍ରାମପଞ୍ଚ଼ାୟତ ଅନ୍ତର୍ଗତ ସିଲିଂ ସାହି ଗାଁର ସୁବାସ ନାୟକ । ନା ଅଛି ଘର ଖଣ୍ଡେ, ନା ଅଛି ଖାଉଟି କାର୍ଡ । ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ୍‌, ସତେ ଯେମିତି ଉପହାସ କରୁଛି ସୁବାଷଙ୍କୁ । ଗତବର୍ଷ ଲକ୍‌ଡାଉନ୍‌ ବେଳେ ସୁଦୂର ତାମିଲନାଡୁରେ ଦାଦନ ଶ୍ରମିକ ଭାବରେ କାମ କରୁଥିବା ସୁବାଷ ପ୍ରାୟ ୨୦ ମାସପରେ ଗାଁକୁ ଫେରିବା ବେଳକୁ, ଲଗାଣ ବର୍ଷା ଓ ଜଗାରଖା ଅଭାବରୁ ଭାଂଗିଯାଇଥିଲା ନୁଆଣିଆଁ ଚାଳଘର ଖଣ୍ଡିକ ଓ ସ୍ତ୍ରୀ ପିଲା ଖାଇବା ପିଇବାକୁ ନ ପାଇ ଚାଲିଯାଇଥିଲେ ବାପ ଘରକୁ । ସେହିଦିନଠାରୁ ସୁବାଷଙ୍କ ପରିବାରର ହିସାବ ସରକାରଙ୍କ ନଥିପତ୍ରରେ ନାହିଁ । ତେଣୁ ସୁବାଷ ଦିନସାରା ବାହାରେ ମୂଲ ମଜୁରୀ ଲାଗି ପଡିଶା ଲୋକଙ୍କ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି । ସରକାର ଲୋକଙ୍କ ପାଇଁ ବିଭିନ୍ନ ଜନହିତକର ଯୋଜନା ପ୍ରଣୟନ ପ୍ରଣୟନ କରୁଥିଲେ ମଧ୍ୟ ସେ ସବୁ ଯୋଜନା ସୁବାଷଙ୍କ ନିକଟରେ ଅଦ୍ୟାବଧି ପହଞ୍ଚି ପାରିନାହିଁ । ସୁବାଷଙ୍କୁ ନା ମିଳୁଛି ଆବାସ ଯୋଜନାରେ ଘର ଖଣ୍ଡିଏ,ନା ମିଳୁଛି ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଗଣ୍ଡିଏ । ଓଳିଏ ଖାଇଲେ ଓଳିଏ ଓପାସ ରହୁଥିବା ସୁବାଷଙ୍କୁ କେବେ ମିଳୁଛି ସରକାରୀ ସହାୟତା ତାହା ଦେଖିବାକୁ ବାକି ରହିଲା ।

Comments (0)
Add Comment