ବ୍ୟାଙ୍କଗାଡି ଡକାୟତି ମାମଲାରେ ୯ଜଣ ଗିରଫ ଓ ନଗଦ ଦଶଲକ୍ଷ ଟଙ୍କା ଜବତ

ସମ୍ବଲପୁର : ପ୍ରାୟ ଦଶଦିନ ପୂର୍ବେ ଏକ ବ୍ୟାଙ୍କ ଗାଡିରୁ ୩୫ ଲକ୍ଷ ଟଙ୍କାରୁ ଅଧିକର ଏକ ଡକାୟତି ମାମଲାର ପର୍ଦ୍ଦାଫାଶ କରି ସମ୍ବଲପୁର ଜିଲ୍ଲା ପୁଲିସ ୯ଜଣ ଡକାୟତଙ୍କୁ ଗିରଫ କରିବା ସହିତ ସେମାନେଠାରୁ ନଗଦଦଶ ଲକ୍ଷ ୯ ହଜାର ଟଙ୍କା ଓ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସାମଗ୍ରୀ ଜବତ କରିଛି । ଏ ବିଷୟରେ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସାମ୍ବାଦିକମାନଙ୍କୁ ଡକାଇ ସମସ୍ତ ତଥ୍ୟ ଦିଆଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଗତ ୯ତାରିଖ ସନ୍ଧ୍ୟା ୪ଟା ୪୫ ମିନିଟ ସମୟରେ ସ୍ଥାନୀୟ କୁଚିଣ୍ଡା ଥାନା ଅନ୍ତର୍ଗତ ଠୁଣ୍ଠିମାଲ ଗାଁ ପାଖରେ ଏହି ଡକାୟତି ହୋଇଥିଲା । ସେଦିନ ଆନ୍ଧ୍ର ବ୍ୟାଙ୍କର ସମ୍ବଲପୁର ଶାଖାରୁ ଦେବଗଡ଼ ଜିଲ୍ଲାର ଲଇମୁରା ଶାଖା ପାଇଁ ଏକ ବୋଲେରୋ ଜରିଆରେ ୩୫ ଲକ୍ଷ ୪୧ ହଜାର ଟଙ୍କା ନିଆ ଯାଉଥିଲା ଓ ଏହାକୁ ଛକି ୬ଜଣ ଡକାୟତ ସବୁଟଙ୍କା ଲୁଟି ନେଇଥିଲେ । ଏହାକୁ ନେଇ ସେତେବେଳେ ଅଞ୍ଚଳରେ ଅନେକ ହଇଚଇ ସୃଷ୍ଟି ହୋଇଥିଲା । ଏହି ମାମଲାକୁ ଗମ୍ଭୀରତା ସହ ନେଇ ସମ୍ବଲପୁର ଏସପି ଡା. କେ ବି ସିଂହ ଚାରୋଟି ଟିମ ଗଠନ କରି ସେମାନଙ୍କୁ ଏହାର ତଦନ୍ତ ଭାର ଦେଇଥିଲେ । ସେମାନେ ଦଶଦିନ ମଧ୍ୟରେ ଏହାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛନ୍ତି । ଏଥିରେ ଏକ ଅନ୍ତଃଜିଲ୍ଲା ଡକାୟତ ଦଳ ସାମିଲ ରହିଛି ଓ ଏହି ଦଳର ସମୁଦାୟ ୧୧ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ସହିତ ୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୋବିନ୍ଦ କିସାନ (୨୪), ଦିଲ୍ଲୀପ ବାଗ (୨୨), ବିଶ୍ୱନାଥ କିସାନ (୩୫), ଅମରେଶ କିସାନ (୨୫), ସୁମନ୍ତ ଲାକ୍ରା (୨୬), ଚିତ୍ରସେନ ଲାକ୍ରା (୨୨), ରୋହିତ ନାଏକ (୩୪), ଉମେଶ ସାହୁ (୨୩) ଓ ଜଣେ ନାବାଳକ ରୂପେ କରାଯାଇଛି । ଏମାନଙ୍କ ଠାରୁ ୧୦ଲକ୍ଷ ୯ହଜାର ନଗଦ ଟଙ୍କା ସହ ଇତିମଧ୍ୟରେ ୫ଲକ୍ଷ ଟଙ୍କା ମୂଲ୍ୟରେ କିଣାଯାଇଥିବା ଗୋଟିଏ ହୁଣ୍ଡାଇ ଭେର୍ନା କାର, ଗୋଟିଏ ଟିଭିଏସ ମୋଟର ସାଇକେଲ ଓ କିଛି ସୁନାରୂପା ଅଳଙ୍କାର ମଧ୍ୟ ଜବତ କରାଯାଇଛି । ଏହା ବ୍ୟତିତ ଡକାୟତି ପାଇଁ ବ୍ୟବହୃତ ୫ଟି ମୋଟର ସାଇକେଲ, ୮ଟି ମୋବାଇଲ ଫୋନ ଓ ଗୋଟିଏ କଟୁରୀ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ସାମିଲ ଆଉ ଦୁଇ ଜଣଙ୍କ ଖୋଜାଯାଉଛି । ଉକ୍ତ ଦୁଇଟି ବ୍ୟାଙ୍କ ଶାଖା ମଧ୍ୟରେ ନିୟମିତ ଭାବେ ନଗଦ ଟଙ୍କା ନିଆଅଣା ବିଷୟରେ ଜାଣିବା ସହିତ ସେମାନେ ବ୍ୟାଙ୍କର ସମସ୍ତ ଗତିବିଧି ଅଧ୍ୟୟନ କଲାପରେ ଏହି ସାହସ କରିଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

Comments (0)
Add Comment