ସମ୍ବଲପୁର:ଆଜିର ରଥଯାତ୍ରା ପାଇଁ ଅଧିକାଂଶ ମନ୍ଦିରରେ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସତ୍ତ୍ୱେ କାଲି ଠାରୁ ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ଧାରା ୧୪୪ ଘୋଷଣା ଯୋଗୁଁ ପହଣ୍ଡିବିଜେ କାର୍ଯ୍ୟକ୍ରମ କିଛି ପରିବର୍ତ୍ତନ ପରେ ଅନୁଷ୍ଠିତ ହୋଇଥିଲା । ମନ୍ଦିର ଓ ଏହାର ଆଖପାଖ ୫୦ମିଟର ପରିଧି ଅଞ୍ଚଳରେ ଧାରା ୧୪୪ ବଳବତ୍ତର ରହିଛି, ଏଣୁ ଭକ୍ତମାନେ ସେଠାରେ ଏକତ୍ରିତ ହୋଇ ପାରିବେ ନାହିଁ ବୋଲି ମନ୍ଦିର ପରିଚାଳନା ସମିତିମାନଙ୍କୁ ପୁଲିସ ପକ୍ଷରୁ ପତ୍ର ମାଧ୍ୟମରେ କାଲିଠାରୁ ଅବଗତ କରାଯାଇଥିଲା ଓ ସେମାନେ ଏହାର ପାଳନ ପାଇଁ ମାନସିକ ସ୍ତର ରେ ପ୍ରସ୍ତୁତ ହୋଇ ସାରିଥିଲେ । ଆଜି ସକାଳୁ ଦେଖିଲା ବେଳକୁ ଏଠାକାର ଝାଡୁଆ ପଡା ସ୍ଥିତ ପ୍ରମୁଖ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଖାଲି ରଥ ଠିଆ ହୋଇଥିଲା ।
ସେଠାରେ ପ୍ରାତଃ ପ୍ରାୟ ୫ଟା ପୂର୍ବରୁ ରୀତିନୀତି ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଓ ରଥାରୂଢ ପରେ ସାଙ୍କେତିକ ରୂପେ କିଛି ଦୂର ରଥଟାଣିଲା ପରେ ମାଉସୀ ମା ମନ୍ଦିର ଠାରେ ସେମାନଙ୍କ ସ୍ଥାପନା ସହିତ ପୂଜାବିଧି ଅନୁଷ୍ଠିତ ହୋଇ ଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ସେଠାରେ ପହଞ୍ଚି ପ୍ରଭୁ ଙ୍କ ଠାରୁ ଆଶିର୍ବାଦ ଭିକ୍ଷା କରୁଥିଲେ । ଗତକାଲି ସନ୍ଧ୍ୟାରେ କିନ୍ତୁ ସୁପ୍ରିମକୋର୍ଟ ର ନିର୍ଦ୍ଦେଶ କ୍ରମେ କଟକଣା ଓ ପୁଲିସ ସୁରକ୍ଷା ଭିତରେ ପହଣ୍ଡିବିଜେ ଓ ରଥଟଣା ହେବ ବୋଲି ପ୍ରଚାର ହେବାରୁ ଏଠାରେ କିଛି ସ୍ଥାନରେ ଅସୁବିଧା ହୋଇଛି । ଉଦାହରଣ ସ୍ବରୂପ ସ୍ଥାନୀୟ ଦଲେଇପଡା ଜଗନ୍ନାଥ ମନ୍ଦିରରେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପହଣ୍ଡିବିଜେ ସହିତ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ ହୋଇ ଥିଲେ ଓ ଆଳତୀ ହେଉଥିଲା । ଠିକ ସେତିକି ସମୟରେ ପିସିଆର ଭ୍ଯାନ ବିଭିନ୍ନ ମନ୍ଦିର ରେ ପୂଜକମାନଙ୍କୁ ଧାରା ୧୪୪ ଓ ସମ୍ବନ୍ଧ କଟକଣା ବିଷୟରେ ଅବଗତ କରିବା ପାଇଁ ସେଠାରେ ପହଞ୍ଚି ଥିଲା । ସେଠାରେ ଉପସ୍ଥିତ ପୁଲିସ ଅଧିକାରୀ ଜଣକ ନିଜର କର୍ତ୍ତବ୍ୟ ପାଳନ ସହିତ ରଥାରୂଢ ପୂଜକଙ୍କୁ କଟକଣା ବିଷୟରେ ବୁଝାଇଥିଲେ । ଏଣୁ କିଛି ସମୟ ପରେ ବାଧ୍ୟ ହୋଇ ପ୍ରଭୁ ସ୍ବମନ୍ଦିର କୁ ଫେରି ଆସିଲେ । ପରମପ୍ରଭୁଙ୍କ ଆଜିର ରଥଯାତ୍ରା ଦିନରେ ଏପରି ହଟହଟା ଦେଖି ସେଠାରେ ଉପସ୍ଥିତ ଭକ୍ତଙ୍କ ମନଦୁଃଖ ହୋଇଛି ଓ ଏହା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।