ଜମି ବିବାଦରୁ ପିଉସୀ ପୁଅ ଭାଇକୁ ବିଭତ୍ସ ହତ୍ୟା

ସମ୍ବଲପୁର: ଘରଡିହ ଜମି ବିବାଦରୁ ଦୁଇଜଣ ମିଶି ନିଜ ପିଉସୀ ପୁଅ ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଏହି ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ ତଳିମାଲ ଗାଁରେ ଘଟିଯାଇଛି । ମୃତ ବ୍ୟକ୍ତିକୁ ଉକ୍ତ ଗାଁର ବିଲାସନ ମୁଣ୍ଡା ଓରଫ ପୁଚୁ (୨୮) ରୂପେ ଚିହ୍ନଟ କରାଯାଇଛି ଓ ଏଥିପାଇଁ ଅଭିଯୁକ୍ତ ରୂପେ ସେଠାକାର ୱାର୍ଡ ସଭ୍ୟ ପ୍ରଶାନ୍ତ ମୁଣ୍ଡା(୨୨) ଓ ତାହାର ନାବାଳକ ସାନଭାଇକୁ ପୁଲିସ ଅଟକ ରଖି ତଦନ୍ତ କରୁଛି । ସମ୍ବଲପୁରରୁ ସାଇଣ୍ଟିଫିକ ଟିମ ପହଞ୍ଚି ଏହି ହତ୍ୟାକାଣ୍ଡ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ପ୍ରାପ୍ତ ସୂଚନା ଅନୁସାରେ ମୃତକ ବିଲାସନ ଦଖଲରେ ଥିବା ଘରଡିହ ସରକାରୀ ଜମିକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ ଆଗରୁ ବିବାଦ ଥିଲା । ପ୍ରଶାନ୍ତ ସେହି ସ୍ଥାନରେ କ୍ଲବ ଘରଟିଏ କରିବା ପାଇଁ ଯୋଜନା କରୁଥିଲା ଓ ବିଲାସନ ତାର ବିରୋଧ କରୁଥିଲା । ଏହାକୁ ନେଇ ବୁଧବାର ରାତିରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଓ ବଚସା ହୋଇଥିଲା ବୋଲି ଗାଁ ଲୋକେ କହିଛନ୍ତି । ଏହି ବଚସାରୁ ଉତ୍ତ୍ୟକ୍ତ ହୋଇ ପ୍ରଶାନ୍ତ ଓ ତାର ନାବାଳକ ସାନଭାଇ ଏକ ଧାରୁଆ ଟାଙ୍ଗିଆରେ ବିଲାସନକୁ ହାଣି ପକାଇଲା ଓ କେହି ପାଖକୁ ଆସିଲେ ତାକୁ ମଧ୍ୟ ହାଣିଦେବା ପାଇଁ ଧମକ ଦେଇଥିଲେ । ଏହାପରେ ଚିତ୍କାର ଶୁଣି ବିଲାସନର ଘରଲୋକେ ଓ ଗାଁର ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚିବାରୁ ଉଭୟେ ସେଠାରୁ ଫେରାର ହୋଇ ଯାଇଥିଲେ ।

Comments (0)
Add Comment