ଜାତୀୟ ରାଜପଥ ୫୩ରେ ଦୁର୍ଘଟଣାରେ ମା ଓ ପୁଅର ମୃତ୍ୟୁ ଯୋଗୁଁ ରାସ୍ତାରୋକ

ସମ୍ବଲପୁର :ଜାତୀୟ ରାଜପଥ ୫୩ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ସଦର ପୁଲିସ ଥାନା ଅନ୍ତର୍ଗତ ପଡିଆ ବାହାଲରେ ଆଜି ମଙ୍ଗଳବାର ଦିନ ସାପ୍ତାହିକ ହାଟ ଯୋଗୁଁ ସେଠାରେ ପ୍ରବଳ ଭିଡ ଲାଗି ରହିଥିଲା । ଏହି ସମୟରେ ସଡ଼କ ପାର ହେଉଥିବା ସମୟରେ ମା ଓ ପୁଅ ଉଭୟଙ୍କ ଉପରେ ଏକ ଭାରୀ କଣ୍ଟେନର ଟ୍ରକର ଚକ ଚଢି ଯିବାରୁ ସେମାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେମାନଙ୍କୁ ସ୍ଥାନୀୟ ତୁରାଙ୍ଗ ଗାଁ ନିବାସୀ ଆହ୍ଲାଦିନୀ ମେହେର (୩୪) ଓ ତାଙ୍କ ପୁଅ ପ୍ରିୟାଂଶ (୨) ରୂପେ ଚିହ୍ନଟ କରାଯାଇଛି । ଦୁର୍ଘଟଣା ପରେ ଉତ୍ତେଜିତ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉକ୍ତ ସ୍ଥାନରେ କ୍ଷତିପୂରଣ ଦାବି ସହ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା । ଖବର ପାଇ ସଦର ଏସଡିପିଓ ତପନ ମହାନ୍ତି ସେଠାରେ ପହଞ୍ଚିଥିଲେ ଓ ରେଡକ୍ରସ ପକ୍ଷରୁ ୩୦ ହଜାର ଟଙ୍କାର ଅନ୍ତରିମ ସହାଯ୍ୟ ଘୋଷଣା ପରେ ସେ ବାଟରେ ଯାତାୟାତ ନିୟମିତ ହୋଇ ପାରିଥିଲା । ଇତିମଧ୍ୟରେ ଉକ୍ତ ଘଟଣାସ୍ଥଳର ଉଭୟ ପଟେ ଶତାଧିକ ସଂଖ୍ୟକ ଯାନବାହାନ ଅଟକି ରହିଥିଲେ । ଦୁର୍ଘଟଣା ଘଟାଇଥିବା କଣ୍ଟେନର ଟ୍ରକ ଓ ତାହାର ଚାଳକକୁ ନିଜ ହେପାଜତରେ ନେବା ସହିତ ପୁଲିସ ଏହାର ତଦନ୍ତ ଜାରି ରଖିଛି ।

Comments (0)
Add Comment