ଭାଙ୍ଗିବାକୁ ବସିଲାଣି ଅର୍ଦ୍ଧନିର୍ମିତ ଅଙ୍ଗନୱାଡି କେନ୍ଦ୍ର

ବୌଦ୍ଧ: ବୌଦ୍ଧବ୍ଲକର ଉପାନ୍ତ ଅଞ୍ଚଳ ଗୁନ୍ଦୁଳିଆ ଗ୍ରାମପଞ୍ଚାୟତର ବଣପାହାଡ ଘେରା କିରମାଖୋଲ ଗ୍ରାମ । ଆଦିବାସୀ ହରିଜନ ଅଧ୍ୟୁଷିତ ଏହି ଗ୍ରାମରେ ଥିବା ଅଧିବାସୀ ମାନଙ୍କ ପାଇଁ ବିକାଶର ଚିତ୍ର କେବଳ ସ୍ୱପ୍ନ ମାତ୍ର । ସବୁ ସରକାରୀ ଯୋଜନା ଏ ଗ୍ରାମରେ ପହଞ୍ଚିବା ପୂର୍ବରୁ ଉଭେଇ ଯାଇଥାଏ ।
ବହୁବର୍ଷ ପୂର୍ବେ କିରମାଖୋଲ ପ୍ରାଥମିକ ବିଦ୍ୟାଳୟର ପଛପାଖରେ ଅଙ୍ଗନୱାଡି ଗୃହନିର୍ମାଣ ପାଇଁ ସରକାର ଅନୁଦାନ ଦେଇଥିଲେ । ଏ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଶ୍ରୁତିରଂଜନ ସେଠୀଙ୍କ ନାମରେ ବିଭାଗୀୟ କାର୍ଯ୍ୟାଦେଶ ରହିଥିଲା । ଅଙ୍ଗନୱାଡି ଗୃହର କାମ ମାତ୍ର କିଛି ଆରମ୍ଭ ହେବାପରେ ଆଜିଯାଏଁ ବନ୍ଦ ରହିଛି ଯେ ରହିଛି । ଗ୍ରାମର ଅଙ୍ଗନୱାଡି ପିଲାମାନେ ବସିବାପାଇଁ ସ୍ଥାନାଭାବ ଯୋଗୁଁ କେବେ ସ୍କୁଲ ବାରଣ୍ଡାରେ ତ କେବେ କାହା ପିଣ୍ଢାରେ ପାଠ ପଢୁଛନ୍ତି । ଏ ସଂପର୍କରେ ବିଭିନ୍ନ ସମୟରେ ବୌଦ୍ଧ ବିଡିଓଙ୍କ ଠାରୁ ଆରମ୍ଭକରି ଜିଲ୍ଲାପାଳଙ୍କ ଯାଏଁ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ଏହି ଗୃହ ସଂପୂର୍ଣ୍ଣ ହେଲାନାହିଁ । ସମସ୍ତଙ୍କୁ କହିକହି ଥକିପଡିବା ପରେ ଗ୍ରାମବାସୀ ମଧ୍ୟ ଚୁପ୍ ରହିବାକୁ ବାଧ୍ୟ ହୋଇଛନ୍ତି ।
ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥାଇ ବର୍ଷ ବର୍ଷଧରି କାହିଁକି ଅଙ୍ଗନୱାଡି କେନ୍ଦ୍ରଟିଏ ସଂପୂର୍ଣ୍ଣ ହୋଇପାରୁନାହିଁ ଏ ଦିଗରେ ଜିଲ୍ଲା ପ୍ରଶାସନ କେବେ ପଦକ୍ଷେପ ନେବ ଗ୍ରାମବାସୀ ଅପେକ୍ଷା କରିଛନ୍ତି ।

Comments (0)
Add Comment