ମୁଣ୍ଡି ପଦର ଲକ୍ଷ୍ମୀ ପୂଜାର ଅନନ୍ୟ ପରମ୍ପରା

ବୌଦ୍ଧ,୧୯/୧୨ – ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗ୍ରାମରେ ପ୍ରତିବର୍ଷ ମାର୍ଗଶିର ମାସରେ ଅନୁଷ୍ଠିତ ହୋଇଥାଏ ଲକ୍ଷ୍ମୀ ପୂଜା l ଏକ ଅନନ୍ୟ ଶୈଳୀରେ ଗ୍ରାମବାସୀ କରିଥାଆନ୍ତି ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା l ଆଜକୁ 50 ବର୍ଷ ଧରି ଚାଲିଥିବା ଏ ପୂଜା ଗ୍ରାମକୁ ଦେଇଛି ନୂତନ ପରିଚୟ l
ଗ୍ରାମରେ ମାର୍ଗଶିର ମାସ ସାରା ପୂଜା କରାଯିବାର ଚିନ୍ତନ କରିଥିଲେ ଜଗନ୍ନାଥ ପାଣିଗ୍ରାହୀ l ସେ ଥିଲେ ଏକାଧାରରେ ଜଣେ ବେଦଗ୍ନ୍ୟ ପଣ୍ଡିତ, କବି ଓ ନାଟ୍ୟକାର l ଗ୍ରାମବାସୀ ମାନଙ୍କ ସହାୟତାରେ ସେହି ଦିନ ଠାରୁ ଆଜିଯାଏ ପାଳିତ ହେଉଛି ଲକ୍ଷ୍ମୀ ପୂଜା l ମାର୍ଗଶିର ମାସର ପ୍ରଥମ ଗୁରୁବାରରେ ଗ୍ରାମରେ ଥିବା ଶ୍ରୀ ରାଧା କୃଷ୍ଣଙ୍କ ମଣ୍ଡପରେ ମାତା ଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତୀ ପ୍ରତିଷ୍ଠା କରାଯାଏ | ମାସର ପ୍ରତ୍ୟେକ ଗୁରୁବାର ଦିନ ପବିତ୍ର ରାମାୟଣ ଗ୍ରନ୍ଥର ବିଭିନ୍ନ କାଣ୍ଡର ପାରାୟଣ ଅନୁଷ୍ଠିତ ହୋଇଥାଏ | ରାତିରେ ଅଭିନୀତ ହୋଇଥାଏ ନାଟ୍ୟକାର ଜଗନ୍ନାଥ ପାଣିଗ୍ରାହୀଙ୍କ ଲିଖିତ ଲକ୍ଷ୍ମୀ ପୁରାଣ l ପ୍ରଥମ ଗୁରୁବାରରେ ଭୃଗୁ କୋଳେ ଲକ୍ଷ୍ମୀ ଆବିର୍ଭାବ, ଦ୍ବିତୀୟ ଗୁରୁବାରରେ ସମୁଦ୍ର ମନ୍ଥନ ବା ଲକ୍ଷ୍ମୀ ବିବାହ, ତୃତୀୟ ଗୁରୁବାରରେ ଜଳନ୍ଧର ବଧ, ଚତୁର୍ଥ ଗୁରୁବାରରେ କର୍ମ ବଳେ ନଳ ରାଜା କାଟିଥିଲେ ଘାସ ଓ ପଞ୍ଚମ ଗୁରୁବାରରେ ଲକ୍ଷ୍ମୀ ନିର୍ବାସନ ବା କାଙ୍ଗାଳ ପ୍ରଭୁ ଅଭିନୀତ ହୋଇଥାଏ | ଏହା ଗୀତିନାଟ୍ୟ ଓ ବାଚନିକ ଉଭୟ ଶୈଳୀରେ ଲିଖିତ l ଗ୍ରାମର ପୁରୁଷ ବ୍ୟକ୍ତି ମାନେ ବ୍ରତ ଧାରଣ କରି ମାର୍ଗଶିର ମାସରେ ଗୋଟିଏ ବେଳା ହବିଷ୍ୟାନ୍ନ ଭୋଜନ କରିଥାଆନ୍ତି l ରାତିରେ ପୂଜା ମଣ୍ଡପରେ ହିଁ ମାସ ସାରା ଶୟନ କରନ୍ତି | ପ୍ରତ୍ୟେକ ଦିନ ଅନ୍ନ ପ୍ରସାଦ ମାଆଙ୍କ ନିକଟରେ ଲଗାଯାଏ l ପ୍ରତିଦିନ ବାଳକ ଭୋଜନ ଅନୁଷ୍ଠିତ ହୁଏ | ମାର୍ଗଶିର ମାସ ଶେଷ ଗୁରୁବାରର ପରବର୍ତ୍ତୀ ଦିନ ମୃଣ୍ମୟ ମୂର୍ତ୍ତୀକୁ ବିସର୍ଜନ କରାଯାଏ |
ମୁଣ୍ଡି ପଦର ଗ୍ରାମରେ ଅନୁଷ୍ଠିତ ଲକ୍ଷ୍ମୀ ପୂଜା ଗ୍ରାମବାସୀଙ୍କ ମଧ୍ୟରେ ଭକ୍ତି ଭାବ ଓ ଭାଇଚାରା ସୃଷ୍ଟି କରିଥାଏ | ବିଭିନ୍ନ ଗ୍ରାମରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଥିଲେ ମଧ୍ୟ ମୁଣ୍ଡି ପଦର ଗ୍ରାମର ପାରମ୍ପରିକ ପୂଜାର ରୀତି ନୀତି ସ୍ବତନ୍ତ୍ର ଓ ଅନନ୍ୟ l

Comments (0)
Add Comment