କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ଗଜଲକ୍ଷ୍ମୀ ପୂଜା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀସାହି ଛକରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି । ୩୭ ବର୍ଷ ହେଲା ଏଠାରେ ପ୍ରତି ବର୍ଷ ମାଆଙ୍କ ପୂଜା ମଣ୍ଡପ ନିର୍ମାଣ ହୋଇ ଆସୁଛି । ପବିତ୍ର କୁମାର ପୂର୍ଣ୍ଣିମାଠାରୁ ଏଠାରେ ମାଆଙ୍କ ପୂଜା ଆରମ୍ଭ ହୋଇ ଆସିଛି । କୋଭିଡ କଟକଣା ପାଳନ କରି ଏଠାରେ ନିରାଡମ୍ବର ଭାବେ ପୂଜା ପାଳିତ ହୋଇଛି । ପ୍ରତିବର୍ଷ ଭଳି ଅନ୍ନ ସେବା, ଦୀପ ଦାନ ଉତ୍ସବ, ଶଙ୍ଖା ସିନ୍ଦୂର ଦାନ, ମାଆଙ୍କ ପୂଜିତ ପାଟ ଶାଢୀ ଦାନ ଇତ୍ୟାଦି ରୀତିନୀତି ପାଳିତ ହୋଇଛି । ପୂର୍ବରୁ ଏଠାରେ ଯାକ ଜକମରେ ମାଆଙ୍କ ପୂଜା ସହ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା, ହେଲେ କୋଭିଡ ଯୋଗୁଁ ଏଠାରେ ଜିଲ୍ଲା ପ୍ରଶାସନର କୋଭିଡ ନିୟମ ଅନୁଯାଇ ମାଆଙ୍କ ପୂଜା ଅନୁଷ୍ଠିତ ହେଉଅଛି ।ଶ୍ରଦ୍ଧାଳୁମାନେ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷାକରି ମଣ୍ଡପରେ ମାଆଙ୍କ ଦର୍ଶନ କରିଛନ୍ତି । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ପୂଜା କମିଟିର ବିଭୁତି ଭୂଷଣ ବେହେରା, ବାବୁଲା ଜେନା, ପ୍ରସାଦ ଗୌଡ଼, ରଘୁ ପାଣିଗ୍ରାହୀ, ପ୍ରଭାତ ପାତ୍ର ପ୍ରମୁଖ ଶାନ୍ତିଶୃଙ୍ଖଳା ସହିତ ପରିଚାଳନା କରିଛନ୍ତି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ମାଆଙ୍କ ପୂଜା ଚାଲୁ ରହିବ ।

Comments (0)
Add Comment