ଗଜପତିରେ ୧୦ ଜଣ ଓଏଏସ ଏବଂ ଓଆରଏସ ନୂତନ ଅଧିକାରୀଙ୍କ କୋଭିଡ-୧୯ ପରିଚାଳନା ପାଇଁ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୫ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଏବଂ ୫ ଜଣ ଓଡ଼ିଶା ରାଜସ୍ୱ ସେବା ଅଧିକାରୀ କୋଭିଡ-୧୯ ପରିଚାଳନା ନିମନ୍ତେ ଗଜପତି ଜିଲ୍ଲାରେ ଯୋଗ ଦେଇଛନ୍ତି । ସମସ୍ତେ କାର୍ଯ୍ୟରେ ଯୋଗ ଦେଲା ପରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପଞ୍ଚାୟତ ସମିତିମାନଙ୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କୋଭିଡ ପରିଚାଳନା କାର୍ଯ୍ୟରେ ସହଯୋଗ କରିବା ପାଇଁ ଦାୟିତ୍ୱ ବଣ୍ଟନ କରିଛନ୍ତି । ସାରଦା ପ୍ରସନ୍ନ ପଣ୍ଡା ଏବଂ ଦେବାଶିଷ ପାତ୍ର ମୋହନା ପଞ୍ଚାୟତ ସମିତି, ରାଜା ରଞ୍ଜିତ ପ୍ରତାପ ବଳ ଏବଂ ସ୍ୱାଗତ କୁମାର ପଣ୍ଡା ଆର ଉଦୟଗିରି ପଞ୍ଚାୟତ ସମିତି, ସୁଶ୍ରୀ ଶୁଭ ସ୍ନିଗ୍ଧା ସେଠୀ ପାରଳା ପୌର ପରିଷଦ, ସୁଶ୍ରୀ ଭବାନୀ ପ୍ରଧାନ କାଶୀନଗର ପଞ୍ଚାୟତ ସମିତି, ସୁଶ୍ରୀ ତପସ୍ୱୀନି ହାଂସଦା ଗୋଶାଣୀ ପଞ୍ଚାୟତ ସମିତି, ବିଶ୍ୱ ବିଶୃତ ତ୍ରିପାଠୀ ରାୟଗଡ ପଞ୍ଚାୟତ ସମିତି, କୂଳଦୀପ କୁମାର ନୂଆଗଡ ପଞ୍ଚାୟତ ସମିତି ଏବଂ ରାକେଶ କୁମାର ପରୁଆଙ୍କୁ ଗୁମ୍ମା ପଞ୍ଚାୟତ ସମିତି ଦାୟିତ୍ୱ ଦିଆଯାଇଛି । ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପରୋକ୍ତ ଅଧିକାରୀମାନେ କୋଭିଡ ପରିଚାଳନାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସହଯୋଗ କରିବା ସହ କୋଭିଡ-୧୯ ମୁକାବିଲା ପାଇଁ ରହିଥିବା ସମସ୍ତ କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ କରିବେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇବା ପରେ ସମସ୍ତ ଉପରୋକ୍ତ ଅଧିକାରୀମାନେ ନିଜ ନିଜର କାର୍ଯ୍ୟ ସ୍ଥଳକୁ ଯାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

Comments (0)
Add Comment