ଦଶପଲ୍ଲା : ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଚଢେୟାପଲ୍ଲୀରେ ଗୁଣିଗାରେଡ଼ି ସନ୍ଦେହରେ କିଛି ଲୋକଙ୍କୁ ନିର୍ଯାତନା ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି । ଗତ ୧୯ ତାରିଖରେ ଗାଁରେ ଗୁଣିଗାରେଡ଼ି କରୁଥିବା ଅଭିଯୋଗ କରି ଗାଁର କିଛି ଲୋକ ୫ ଜଣଙ୍କୁ ମାଡ଼ମାରିବା ସହ ବିଷ୍ଟା ଖୁଆଇଥିଲେ । ସୂଚନାନୁସାରେ, ଚଢେୟାପଲ୍ଲୀ ଗାଁରେ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ବୋହୂଙ୍କ ଦେହରେ ମଙ୍ଗଳା ଠାକୁର ଉଭା ହୋଇ ଗାଁର ସେଷ ନାୟକ, ସୁନନ୍ଦ ନାୟକ, ବିଦ୍ୟା ନାୟକ, ଭରତ ନାୟକ ଏବଂ ବିଘ୍ନରାଜ ସେଠୀ ଗୁଣିବିଦ୍ୟା କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାରିଥିବା କହିଥିଲେ । ଏହି ଘଟଣାକୁ ନେଇ ଗତ ୧୯ ତାରିଖରେ ଗାଁରେ ସଭା କରାଯାଇଥିଲା । ଏହି ୫ଜଣ ବ୍ୟକ୍ତି ଗୁଣି କରି ଗାଁର ବହୁ ଲୋକଙ୍କୁ ମାରିଥିବାରୁ ସେମାନଙ୍କୁ ସଭାକୁ ଡକାଇ ଦଣ୍ଡ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ଶେଷ , ସୁନନ୍ଦ , ବିଦ୍ୟା ଏବଂ ଭରତଙ୍କୁ ଗାଁ ଦାଣ୍ଡରେ ଦଉଡ଼ିରେ ବାନ୍ଧି ଗ୍ରାମର କିଛି ଲୋକ ମାଡ଼ ମାରିବା ସହ ଘଟଣାକୁ ସ୍ୱୀକାର କରିବାକୁ ବାଧ୍ୟ କରିଥିଲେ । ସେମାନଙ୍କୁ ବଳ ପୂର୍ବକ ବିଷ୍ଟା ଖୁଆଇଥିଲେ ଓ ନିର୍ଯାତିତଙ୍କ ପରିବାରକୁ ଏନେଇ ଧମକ ଦିଆଯିବା ସହ ଥାନାକୁ ଜଣାଇଲେ ଜୀବନରେ ମାରିଦେବାର ଧମକ ଦେଇଥିଲେ । ଗତ ୨୦ ତାରିଖରେ ଶେଷ ନାୟକ ବାଣିଗୋଚ୍ଛା ଥାନାରେ ଅଭିଯୋଗ କରିଥିଲେ । ଗାଁର ସଞ୍ଜୟ ନାୟକ, ଭରତ ପ୍ରଧାନ, ରୋହିତ ନାୟକ, ତାରକା ନାୟକ ଏବଂ କୃଷ୍ଣଚନ୍ଦ୍ର ନାୟକ ସେମାନଙ୍କୁ ନିର୍ଯାତନା ଦେଇଥିବା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଗୁରୁବାର ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।