ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ

ସମ୍ବଲପୁର : ଏଠାକାର ସଦର ରେଞ୍ଜ ଅନ୍ତର୍ଗତ ଯାଦୁଲୋଇସିଂ ସଂରକ୍ଷିତ ବଣରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ଏ ବିଷୟରେ ଜିଲ୍ଲା ବଣ ବିଭାଗୀୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଏହି ମୃତ ଦନ୍ତାହାତୀର ଆୟୁ ପ୍ରାୟ ୧୦ବର୍ଷ ଓ ସେଠାରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାହାର ମୃତ୍ୟୁ ହୋଇଛି । ତାହାର ମୃତଦେହରୁ ପ୍ରାୟ ୩୫ ସେଣ୍ଟିମିଟର ଲମ୍ବା ଦୁଇଟି ଦାନ୍ତ ଉଦ୍ଧାର କରି ବଣ ବିଭାଗ ଜବତ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେମାନେ କିଛି ଦିନ ହେବ ଉକ୍ତ ଦନ୍ତାହାତୀକୁ ସେଠାରେ ବୁଲୁଥିବା ଲକ୍ଷ୍ୟ କରିଛନ୍ତି । ଗତକାଲି ତାହାର ମୃତଦେହ ସେଠାରେ ପଡିଥିବା ଦେଖି ସେମାନେ ବଣ ବିଭାଗକୁ ତୁରନ୍ତ ଖବର କରି ଦେଇଥିଲେ । ଖବର ପାଇ ବିଭାଗୀୟ ଟିମ ତୁରନ୍ତ ସେଠାରେ ପହଞ୍ଚି ଥିଲେ । ଜିଲ୍ଲା ବନାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଯୁଯୁମୁରା ବ୍ଳକରୁ ପ୍ରାଣୀ ଚିକିତ୍ସକ ଏହି ଶବର ବ୍ୟବଚ୍ଛେଦ କରି ମୃତ୍ୟୁର ସଠିକ କାରଣ ସ୍ପଷ୍ଟ କରିଥିଲେ । ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ଯେ ସେଠାରେ ବିଦ୍ୟୁତ ତାର ତଳକୁ ଓହଳି ପଡିଥିବାରୁ ଦୁର୍ଘଟଣାବଶତଃ ହାତୀଟି ଏହା ସଂସ୍ପର୍ଶରେ ଆସି ମରିଯାଇଛି । ତଥାପି ଜିଲ୍ଲା ବନାଧିକାରୀ ସେ ଅଞ୍ଚଳର ସକ୍ରିୟ ବେଆଇନ ପଶୁ ଶିକାରୀମାନଙ୍କୁ ବିଦ୍ୟୁତ ତାର ଫାଶ ସାହାଯ୍ୟରେ କୌଣସି ଶିକାର ନ କରିବା ପାଇଁ ଚେତାବନୀ ଦେଇ କହିଛନ୍ତି ଯେ ଏପରି ଚେଷ୍ଟା କଲେ ତାହାର ଭୟଙ୍କର ପରିଣାମ ଭୋଗିବାକୁ ପଡିବ ।

Comments (0)
Add Comment