ସମ୍ବଲପୁର :ଗତ ଦୁଇ ସପ୍ତାହ ହେଲା କରୋନା ସଂକ୍ରମଣହାର ନିରନ୍ତର କମୁଥିବାରୁ ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଉନ୍ନତି ଦେଖାଯାଉଛି । ଅପରପକ୍ଷେ ମୃତ୍ୟୁହାର ବଢି ଜନସାଧାରଣ ସହିତ ପ୍ରଶାସନର ଚିନ୍ତା ବଢାଉଛି । ଏକ ତୁଳନାତ୍ମକ ଅଧ୍ୟୟନରୁ ଜଣା ପଡିଛି ଯେ ଏହି ମୃତ୍ୟୁହାର ଗତ ୧୨ ତାରିଖରେ ୦.୩୩ ପ୍ରତିଶତ, ୧୩ରେ ୦.୩୪, ୧୪ରେ ୦.୩୪, ୧୫ରେ ୦.୩୪, ୧୬ରେ ୦.୩୬, ୧୭ରେ ୦.୩୭ ଓ ୧୮ତାରିଖରେ ୦.୩୯ ପ୍ରତିଶତ ରହିଥିଲା । ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଜିଲ୍ଲାରେ ଏପର୍ଯ୍ୟନ୍ତ ୨୯ ଜଣଙ୍କ ମୃତ୍ୟୁ ହୋଇଛି, ଯଦିଓ ବେସରକାରୀ ସୂତ୍ରାନୁସାରେ ଏହା ବାସ୍ତବିକ ସ୍ଥିତିର ଦଶାଂଶ ମାତ୍ର । ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୩୮ ଓ ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ଚିହ୍ନଟଙ୍କ ସଂଖ୍ୟା ୭୫୫୯ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୯ ଜଣଙ୍କ ମୃତ୍ୟୁ, ୬୭୯୬ ଜଣ ସୁସ୍ଥହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୭୩୪ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି । ଏମାନଙ୍କ ମଧ୍ୟରୁ ସମ୍ବଲପୁର କୋଭିଡ ହସ୍ପିଟାଲରେ ୧୧୦ ଜଣ, ବୁର୍ଲା କୋଭିଡ କେୟାର ସେଣ୍ଟରରେ ୧୩୨ଜଣ ଓ ହୋମ ଆଇସୋଲେଶନରେ ୪୫୪ଜଣ ଚିକିତ୍ସା ପାଉଛନ୍ତି ।