ଜାଡ଼ରେ ଥରୁଛି ସାରା ଓଡ଼ିଶା,୧୦ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଗତ କିଛି ଦିନ ହେବ ଲାଗି ରହିଛି ଶୀତ ଲହରି । ଏପରିକି ୧୦ଡିଗ୍ରୀ ତଳେ ରହିଛି ୮ ସହରର ତାପମାତ୍ରା । ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇଛି ।

ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଅନୁସାରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬. ୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ୭ ଡ଼ିଗ୍ରୀ, ଜି. ଉଦୟଗିରିରେ ୭. ୪ଡ଼ିଗ୍ରୀ, କେନ୍ଦୁଝରରେ ୮. ୮ ଡ଼ିଗ୍ରୀ, ସୁନ୍ଦରଗଡରେ ୯ ଡ଼ିଗ୍ରୀ, କିରେଇରେ ୯. ୪ ଡ଼ିଗ୍ରୀ, ଫୁଲବାଣୀରେ ୯. ୫ ଡ଼ିଗ୍ରୀ ଓ ସେମିଳିଗୁଡାରେ ୯. ୬ଡ଼ିଗ୍ରୀ ତାପମାତ୍ରା ରହିଛି । ତେବେ କଟକରେ ସର୍ବନିମ୍ନ ତାପମାତ୍ରା ଗତକାଲି ୧୫. ୧ ଓ ଭୁବନେଶ୍ବରରେ ୧୬ ଡିଗ୍ରୀ ଥିବା ସୂଚନା ମିଳିଛି ।

ଲଗାତର ଏକ ସପ୍ତାହ ଧରି ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ଧିରେ ଧିରେ ଦୁର୍ବଳ ହେଉଛି । ଫଳରେ ରାତିର ତାପମାତ୍ରା ସାମାନ୍ୟ ବଢିପାରେ ।
ଏହାପରେ ଆଜି ଠାରୁ ଶୀତ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଏହାସହ ପୂର୍ବାଳୀ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣବାୟୁ ସକ୍ରିୟ ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମିବା ସହ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ଘନ କୁହୁଡି ପାଇଁ ଆଜି ୨୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ମିଟର କିମ୍ବା ତା’ଠାରୁ କମ୍ ହୋଇପାରେ । ଘନ କୁହୁଡି ସତର୍କତା ପରେ ପୋଲିସ ଓ ପରିବହନ ବିଭାଗକୁ ସତର୍କ କରାଇଛନ୍ତି ଏସଆରସି । ଗାଡି ଚଳାଚଳ ଉପରେ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments (0)
Add Comment