ଡକରବାଡ଼ି ଗ୍ରାମର ଗୋଟିଏ କିଲୋମିଟର ରାସ୍ତା ଖରାପ ୩ କିଲୋମିଟର ବଦଳରେ ୭ କିଲୋମିଟରରାସ୍ତାରେ ଯାଉଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି,୧୨/୧୦- ଉପାନ୍ତ ଅଂଚଳର ରାସ୍ତା ଅବସ୍ଥା ଆଜି ପର୍ଯ୍ୟନ୍ତ ସୁଧୁରୀ ପାରିଲାନାହିଁ । ରାସ୍ତା ନଥିବା ଯୋଗୁଁ ବହୁ ସମୟରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ ସୁଦ୍ଧା ଲୋକମାନଙ୍କ ଗମନାଗମନ ପାଇଁ ମନରେଗା ଯୋଜନାରେ ରାସ୍ତା ସଂଯୋଗୀକରଣ ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା,ବିଜୁ କନ୍ଧମାଳ ଗଜପତି ଯୋଜନା ଭଳି ଅନେକ ଯୋଜନା ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ବରଂ ଲୋକଙ୍କର ସମସ୍ୟା ଦିନ କୁ ଦିନ ବୃଦ୍ଧି ପାଉଛି । ଏଭଳି ଏକ ଗାଁ ହେଉଛି ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଂଚାୟତ ଅନ୍ତର୍ଗତ ଡକରବାଡ଼ି ଗ୍ରାମ । ଏହି ଗ୍ରାମରେ ଶହେ ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ୫ ଶହ ରୁ ଉର୍ଦ୍ଧ ଜନସଂଖ୍ୟା । ସିମନବାଡ଼ି ପଞ୍ଚାୟତ ହେଡକ୍ୱାଟର ଠାରୁ ଡକରବାଡ଼ି ଗ୍ରାମ କୁ ୩ କିଲୋମିଟର ରାସ୍ତା ହୋଇଥିବା ବେଳେ ଗୋଟିଏ କିଲୋମିଟର ରାସ୍ତା ଅତି କଦର୍ଯ୍ୟ । ବର୍ଷା ହୋଇଗଲେ ଯିବା ଆସିବା ଏକ ପ୍ରକାର ବନ୍ଦ ହୋଇଯାଉଛି । ଏପରିକି ଗାଡିତ ଯିବା ଦୂରର କଥା ଚାଲିକି ଯିବା ମଧ୍ୟ ସମ୍ଭବ ହେଉନାହିଁ । ଖାଲି ରାସ୍ତା ଅବସ୍ଥା ଖରାପ ହୋଇନାହିଁ ବରଂ ବୁଡାଯୋଡି ଶଙ୍ଖ ଟି ନିର୍ମାଣ ବେଳେ ବହୁତ ତଳେ ହୋଇଯିବାରୁ ସେଠି ଗାଡି ମଧ୍ୟ ସଠିକ ଭାବେ ଯାତାୟାତ କରିପାରୁନାହିଁ । ରାସ୍ତା ଅବସ୍ଥା ଖରାପ ଓ ବୁଡାଯୋଡି ଶଙ୍ଖ ଠିକ ନଥିବା ଯୋଗୁଁ ଲୋକେ ବାଧ୍ୟ ହୋଇ ୩ କିଲୋମିଟର ରାସ୍ତା ବଦଳରେ ଗବାଟବାଡ଼ି,ଲାରୀବାଡ଼ି ଗ୍ରାମ ଦେଇ ୭ କିଲୋମିଟର ବାଟ ଦେଇ ସିମନବାଡ଼ି ପହଂଚିଥାନ୍ତି । ଲୋକେ ବାଧ୍ୟ ହୋଇ ୪ କିଲୋମିଟର ରାସ୍ତା ଅଧିକ ଦେଇ ଗାଁ କୁ ଯିବାଆସିବା କରିଥାନ୍ତି । ଡକରବାଡ଼ି ରାସ୍ତା ଅବସ୍ଥା ଖରାପ ହୋଇଥିବା ନେଇ ଗ୍ରାମବାସୀ ଦାରିଙ୍ଗବାଡ଼ି ବ୍ଲକ,ସିମନବାଡ଼ି ପଂଚାୟତରେ ବାରମ୍ବାର ଅଭିଯୋଗ କରିଥିଲେ ସୁଧା ଆଜି ପର୍ଯ୍ୟନ୍ତ ରାସ୍ତା ଅବସ୍ଥାରେ ସୁଧାର ହୋଇପାରିନଥିବା ଗ୍ରାମର ରାମଦେବ ପ୍ରଧାନ,ନୀଳମଣି ସାହୁ, ରବି ପ୍ରଧାନ,ବୁହିଙ୍ଗା ଦିଗାଲ,ଦିଲୀପ ପ୍ରଧାନ,ଜଗଦୀଶ ପ୍ରଧାନ,ମେସୁରା ପ୍ରଧାନ,ଅନିରୁଦ୍ଧ ପ୍ରଧାନ,ତ୍ରିନାଥ ପ୍ରଧାନ,ମିଥୁନ ଦିଗାଲ ପ୍ରମୁଖ ଅଭିଯୋଗ କରିଛନ୍ତି । ଗତ ୨ ତାରିଖ ଦିନ ଗ୍ରାମର ମିଥୁନ ଦିଗାଲ ଙ୍କ ଘର ବିଦ୍ୟୁତ ସର୍ଟସର୍କିଟି ପୋଡିଯାଇଥିବା ବେଳେ ନିଆଁ କୁ ଆୟତ୍ତ କରିବା ପାଇଁ ଅଗ୍ନିସମ ବିଭାଗ ଡକରବାଡ଼ି ରାସ୍ତାରେ ଆସିନପାରିବାରୁ ୭ କିଲୋମିଟର ବାଟ ଗବାଟବାଡ଼ି ଦେଇ ଗାଁରେ ପହଂଚିବାରୁ ବିଳମ୍ବ ହୋଇଥିଲା । ଯାହାରି ଫଳରେ ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା । ଯଦି ଡକରବାଡ଼ି ରାସ୍ତା ଭଲ ଥାନ୍ତା ତାହାହେଲେ ଅଗ୍ନିଶମ କର୍ମଚାରୀ ୩ କିଲୋମିଟର ବାଟ ଶୀଘ୍ର ଅତିକ୍ରମ କରିପାରିନିଆକୁ ଆୟତ୍ତ କରିପାରିଥାନ୍ତେ ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି । ଗାଁ ପ୍ରତି ସ୍ଥାନୀୟ ପ୍ରଶାସନ ହେଉ ଅବା ସ୍ଥାନୀୟ ନେତା ଗ୍ରାମର ବିକାଶ କଥା କେବେ ମଧ୍ୟ ଚିନ୍ତା କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଡକରବାଡ଼ି ରାସ୍ତା କୁ ପକ୍କା କରିବା ସହ ବୁଡାଯୋଡି ଶଙ୍ଖ କୁ ଉଚ୍ଚା କରି ନିର୍ମାଣ କରିବା ପାଇଁ ଦାବି କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷା ରୁଦା ମଲ୍ଲିକ ଙ୍କୁ ପଚାରିବାରୁ ସେ କହିଲେ ଯଥା ଶୀଘ୍ର ମନରେଗା ଯୋଜନାରେ ମେଟାଲ ଯୁକ୍ତ ମୁରୁମ ରାସ୍ତା ନିର୍ମାଣ କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ ।

Comments (0)
Add Comment