ସମ୍ବଲପୁର,୬/୯- ବିଗତ ତିନି ଦଶନ୍ଧି ଧରି ସମ୍ବଲପୁର ଓ ଝାରସୁଗୁଡା ଦ୍ବୈତଜିଲ୍ଲାରେ ଗଢି ଉଠିଛି ଅନେକ ବୃହତ ଓ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ । କିନ୍ତୁ ପରିତାପର ବିଷୟ ଯେ ଜିଲ୍ଲାବାସୀଙ୍କୁ ଏହାର କୌଣସି ସୁଫଳ ପରିବର୍ତ୍ତେ କୁଫଳ ଭୋଗିବାକୁ ପଡୁଛି । ଅନେକ ଆଶାନେଇ ଜଳ, ଜଙ୍ଗଲ ଓ ଜମି ହରେଇଥିବା ଅଞ୍ଚଳବାସୀ ଆଜି ଭୋଗୁଛନ୍ତି ଶାରୀରିକ, ମାନସିକ ଓ ଆର୍ଥିକ କଷ୍ଟ । ଏପର୍ଯ୍ୟନ୍ତ ବିସ୍ଥାପିତଙ୍କୁ ହରେଇ ଥିବା ଜମି, ଘରବାଡ଼ିର ପ୍ରକୃତ ମୂଲ୍ୟ କିମ୍ବା ସ୍ଥାୟୀ ନିଯୁକ୍ତି ମିଳି ପାରି ନାହିଁ । ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ସାଙ୍ଗକୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ଲୋକେ ହେଉଛନ୍ତି ହନ୍ତସନ୍ତ । କମ୍ପାନୀ କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ପାଇଁ ପ୍ରଦୂଷିତ ହେଉଛି ନଦୀନାଳ, ରାସାୟନିକ ବାଷ୍ପ ପାଇଁ ପ୍ରଦୂଷିତ ହେଉଛି ବାୟୁମଣ୍ଡଳ ତା ସାଙ୍ଗକୁ ବାତାବରଣ ହେଉଛି ଅଧିକ ଗରମ । ବର୍ଷ ବର୍ଷ ଧରି ଜନ ଅସନ୍ତୋଷ ଲାଗି ରହିଛି ଏବଂ ବାରମ୍ବାର ଅଭିଯୋଗ, ଆନ୍ଦୋଳନ, ବିକ୍ଷୋଭ ପରେ ମଧ୍ୟ ଭାଙ୍ଗୁ ନାହିଁ କାହାରି କୁମ୍ଭକର୍ଣ୍ଣ ନିଦ୍ରା । ଏଭଳି ଅନେକ ସମସ୍ୟା ଘେରରେ କାଳାତିପାତ କରୁଥିବା ଅଞ୍ଚଳବାସୀଙ୍କ ପାଇଁ ଶିଳ୍ପାଞ୍ଚଳର ପାଉଁଶ ସାଜିଛି ବୋଝ ଉପରେ ନଳିତା ବିଡା । ଦୁଇଟି ଯାକ ଜିଲ୍ଲାରେ ଏମିତି କୌଣସି କମ୍ପାନୀ ନାହିଁ ଯାହାର ପାଉଁଶ ପାଇଁ ଲୋକେ ଦୁଃଖ ଯନ୍ତ୍ରଣା ଭୋଗୁ ନାହାନ୍ତି । କମ୍ପାନୀ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ଅସାଧୁ ମେଣ୍ଟର ଫଳ ଭୋଗୁଛନ୍ତି ଅଞ୍ଚଳବାସୀ । କେବେ ଚାଷଜମିରେ ତ କେବେ ଗାଁ ପୋଖରୀରେ, କେବେ ଗାଁ ମୁଣ୍ଡ ରାସ୍ତା କଡରେ ତ କେବେ ନଦୀ ନାଳ ରେ ଫୋପାଡ଼ି ଦିଆ ଯାଉଛି କମ୍ପାନୀ ରୁ ବାହାରୁଥିବା ପାଉଁଶ । ସମ୍ବଲପୁର ଓ ଝାରସୁଗୁଡା ର ଏଭଳି ସମସ୍ୟା କୁ ନେଇ ବର୍ତ୍ତମାନ ରାଜ୍ୟ ଭାଜପା ଚିନ୍ତାରେ । ତେଣୁ ଗତକାଲି ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଫେକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଯାଇଛି । ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାଏକ ଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏହି ଫେକ୍ଟ ଫାଇଣ୍ଡିଙ୍ଗ ଟିମରେ ବରଗଡ଼ ସାଂସଦ ତଥା ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ତଥା ରାଜ୍ୟ ଉପସଭାପତି ନାଉରି ନାଏକ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ପ୍ରମୁଖ ରହିଛନ୍ତି । ଯଥାଶୀଘ୍ର ଏହି ଦଳ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଶିଳ୍ପାଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ସାକ୍ଷାତ ଆଲୋଚନା ପରେ ଏକ ବିସ୍ତୃତ ରିପୋର୍ଟ ତିଆରି କରି ଭାଜପାର ରାଜ୍ୟ ସଭାପତିଙ୍କୁ ହସ୍ତାନ୍ତର କରିବ । ଆସନ୍ତା ୧୫ ତାରଖ ସୁଦ୍ଧା ଏହି ଦଳ ନିଜ ପକ୍ଷରୁ ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିବେ ବୋଲି ପାର୍ଟିର କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।