ସମ୍ବଲପୁର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ରୌଦ୍ରତାପ ଉପରେ ଜଳ କଷ୍ଟ ସମ୍ବଲପୁରବାସୀଙ୍କୁ ଅତିଷ୍ଠ କରିଛି । ବର୍ତ୍ତମାନ ମହାନଗର ନିଗମରର କୌଣସି ଅଂଚଳ ଏପରି ସମସ୍ୟାରୁ ବର୍ତ୍ତି ନାହିଁ । ବିଶେଷ କରି ସାକ୍ଷୀପଡା ଅଂଚଳରେ ବର୍ତ୍ତମାନ ପାନୀୟ ଜଳ ଯୋଗାଣ କୁ ନେଇ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପାଇପରେ ଠିକ ସମୟରେ ଓ ଯଥେଷ୍ଟ ପରିମାଣ ରେ ପାଣି ଆସୁନାହିଁ ଓ ପାଣି ଟେଙ୍କର ମଧ୍ୟ ନିୟମିତ ଆସୁନାହିଁ । ଅଂଚଳର ସରଲାକାନି, କୁରେଇଟୋଲା, ନ୍ୟୁ ବେଙ୍କ କଲୋନୀ ଓ ସମଲେଇପଦର ଅଂଚଳରେ ଘୋର ଜଳ ଯୋଗାଣ ସମସ୍ୟା ଓ ଜଳାଭାବ କୁ ନେଇ ଜନ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷୀପଡାବାସୀ ଭେଟିଛନ୍ତି । କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଭାଗ୍ୟଧର ମହାନ୍ତିଙ୍କୁ ସାକ୍ଷାତ କରି ସେମାନେ ସମସ୍ତ ବିଷୟ ଅବଗତ କରାଇଛନ୍ତି । ବୁଢାରଜା ପାହାଡ଼ ଉପରେ ରହିଥିବା ପାଣିଟାଙ୍କିରୁ ଜଗନ୍ନାଥ କଲୋନୀ ଦେଇ ଏକ ପାଇପ ସାକ୍ଷୀପଡାକୁ ଆସିବା ର ଯୋଜନା ବହୁ ବର୍ଷରୁ ପଡିରହିଛି । ରେଳଲାଇନ ତଳେ ପାଇପ ବିଛାଇବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରେଳ ବିଭାଗ ପାଖରେ ୧୯ ଲକ୍ଷ ଟଙ୍କା ଜମା ଦେବାର ବର୍ଷରୁ ଅଧିକ ସମୟ ବିତିଲା ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଅବହେଳା ଓ ନିଷ୍କ୍ରିୟତା ଯୋଗୁଁ କାମ ଆଗକୁ ବଢି ପାରୁନାହିଁ । ଅଂଚଳରେ ବହୁତ ନଳକୂପମାନ ଅଚଳ ହୋଇ ପଡିଛି ତାର ଶୀଘ୍ର ମରାମତି, ଯେଉଁଠି ପାଣି ପାଇପ ଲାଇନ ବିଛା ଯାଇନି ତାକୁ ଶୀଘ୍ର ସମାପ୍ତ କରିବା, ଟେଙ୍କର ଯୋଗେ ଯୋଗେଇ ଦିଆଯାଉଥିବା ପାନୀୟ ଜଳ ର ପରିମାଣକୁ ବଂଚାଇବା ଭଳି ଅନେକ ଦାବୀ କରା ଯାଇଥିଲା । ଏହି ଆଲୋଚନା ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ମାନସ ରଞ୍ଜନ ବକ୍ସି ଙ୍କ ସହିତ ଅଂଚଳର ବରିଷ୍ଠ ନାଗରିକ ରୂପେ ସନ୍ତୋଷ କୁମାର ସେଠ, ପ୍ରଫୁଲ୍ଲ ନାଏକ, ଶଙ୍କର୍ଷଣ ପଣ୍ଡା, ସମୀର କୁମାର ସେନଗୁପ୍ତା, ମହେନ୍ଦ୍ର ସାହୁ, ଶମ୍ଭୁ ଭୂଷଣ ସେନ, ପଂଚାନନ ପଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ ।