ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର;ନାହିଁ ଶ୍ରେଣୀ ଗୃହ, ବାରଣ୍ଡାରେ ଭବିଷ୍ୟତ ଗଢ଼ୁଛନ୍ତି ଛାତ୍ରଛାତ୍ରୀ

ବାଲିଗୁଡ଼ା: ଶିକ୍ଷା ବ୍ୟବସ୍ଥାରେ ଏବେ ସ୍ମାର୍ଟ ବ୍ୟବସ୍ଥା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ ଆଧୁନିକ ଢାଞ୍ଚାରେ ପାଠ ପଢ଼ିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାରା ରାଜ୍ୟରେ ସ୍ମାର୍ଟ ସ୍କୁଲ୍‌ କଲେଣି । ହେଲେ ଆଜିବି ଏମିତି ଅନେକ ବିଦ୍ୟାଳୟ ରହିଛି ଯେଉଁଠିକି ରାଜ୍ୟ ସରକାର ନା ଜିଲ୍ଲା ପ୍ରଶାସନ କାହାରି ମଧ୍ୟ ନଜର ପଡ଼ୁନାହିଁ । ଶିକ୍ଷା ବ୍ୟବସ୍ଥାର ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ଧୁଡୁସି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ । ୧୯୬୧ ମସିହାରୁ ଏହି ବିଦ୍ୟାଳୟ ଏଠାରେ ସ୍ଥାପିତ ହୋଇଥିବା ବେଳେ ଏହି ବିଦ୍ୟାଳୟରେ ପାଠ ପଢ଼ି କେତେ ଛାତ୍ରଛାତ୍ରୀ ଓ କେତେ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରି ଗଲେଣି । ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ ଏଯାବତ୍‌ ବିଦ୍ୟାଳୟର କୌଣସି ଉନ୍ନତି ଘଟିନଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ବିଦ୍ୟାଳୟରେ ୧ମ ରୁ ୧୦ମ ଶ୍ରେଣୀରେ ସମୁଦାୟ ୧୫୯ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ୯ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । କିନ୍ତୁ ବଡ଼ ପରିତାପର ବିଷୟ ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଶ୍ରେଣୀଗୃହ ନଥିବା କାରଣରୁ ଦେଶର ଭବିଷ୍ୟତ ବାରଣ୍ଡାରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଯେଉଁ ପୁରୁଣା ଶ୍ରେଣୀଗୃହ ଅଛି ତାହା ପରିତ୍ୟକ୍ତ ଅବସ୍ଥାରେ ଥିବା କାରଣରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ବସାଇ ପାଠ ପଢ଼ାଉଥିବା କହିଛନ୍ତି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ । ଅନ୍ୟପଟେ ବିଦ୍ୟାଳୟ ନିମନ୍ତେ ଆବଶ୍ୟକ ଶ୍ରେଣୀଗୃହ ଯୋଗାଇଦେବାକୁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ଏଯାବତ୍‌ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଅଞ୍ଚଳବାସୀ । ସେପଟେ ଖରା, ବର୍ଷା,ଶୀତ କାକରରେ ବାରଣ୍ଡାରେ ବସି ପାଠ ପଢ଼ିବା ସମ୍ଭବପର ହୋଇପାରୁନାହିଁ । ଯାହା ଫଳରେ ଉପଯୁକ୍ତ ଶିକ୍ଷା ଲାଭ କରିପାରୁନାହାନ୍ତି ଛାତ୍ରଛାତ୍ରୀ । ଆବଶ୍ୟକ ଅନୁଯାୟୀ ଶ୍ରେଣୀଗୃହ ଯୋଗାଇଦେଲେ ସୁରକ୍ଷିତ ଭାବେ ଶିକ୍ଷା ଲାଭ କରିପାରିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଏଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିଦ୍ୟାଳୟର ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

Comments (0)
Add Comment