ସୁନ୍ଦରଗଡ ଓ ଯାଜପୁର ଜିଲ୍ଲା ପାଇଁ ୧୦କୋଟି ଟଙ୍କା

ଭୁବନେଶ୍ୱର ୨୩ ।୦୭: ପଶ୍ଚିମଓଡିଶା ପାଇଁ ଆଇଜିଏଚ୍‌ରେ ପ୍ଲାଜମା ବ୍ୟାଙ୍କ ରାଉରକେଲା କୋଭିଡ କେୟାର ସେଣ୍ଟର ଶଯ୍ୟା ବୃଦ୍ଧିପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାର ଶଯ୍ୟା ସଂଖ୍ୟା ୧୭ଶହକୁ ବୃଦ୍ଧି ପାଇବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । କୋଭିଡ ରୋଗର ଚିକିତ୍ସାରେ ପ୍ଲାଜମା ଥେରାପି ସଫଳ ହେବା ପରେ କଟକର ଏସ୍‌ସିବି ପରେ ରାଉରକେଲାର ଆଇଜିଏଚ୍‌ରେ ପ୍ଲାଜମା ବ୍ୟାଙ୍କ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିସହିତ ରାଉରକେଲା କୋଭିଡ କେୟାର ସେଣ୍ଟରର ଶଯ୍ୟା ୭ଶହ ବୃଦ୍ଧି କରାଯିବ । ସୁନ୍ଦରଗଡ ଜିଲ୍ଲାର କୋଭିଡ ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଓ ସେବା ପାଇଁ ଜିଲ୍ଲାରେ ଆରୋଗ୍ୟ ହାର ୮୫ ପ୍ରତିଶତ ବୃଦ୍ଧି ପାଇଥିବାରୁ ସନ୍ତୋଷପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ବର୍ତ୍ତମାନ ସୁଦ୍ଧା ଡିଏମ୍‌ଏଫରୁ ସୁନ୍ଦରଗଡରେ୨୦କୋଟିଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରଗୁଡିକର ଭିତ୍ତିଭୂମି ବିକାଶ ପାଇଁ ସିଏମ୍‌ଆର୍‌ଏଫ୍‌ରୁ ୫କୋଟି ଟଙ୍କା ମଞ୍ଜୁର କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ରାଉରକେଲାର ବସ୍ତି ଅଂଚଳ ଓ ଜନଗହଳିପୂର୍ଣ୍ଣ ଅଂଚଳ ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ । ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ପାଇଁ ରାଉରକେଲା ଷ୍ଟିଲପ୍ଲାଣ୍ଟ, ଏନଟିପିସି, ଏମସିଏଲ ଓ ଓସିଏଲ୍ ସାହାଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଯାଜପୁର ଜିଲ୍ଲାକୁ ଗତ କିଛି ଦିନ ମଧ୍ୟରେ ୨୬ହଜାରରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଥିବାରୁ ଏବଂ ଆରୋଗ୍ୟ ହାରକୁ ୮୬.୫ ପ୍ରତିଶତରେ ପହଞ୍ଚାଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାର କୋଭିଡ ଚିକିତ୍ସା ପାଇଁ ଆଉ ୨୫୦ ଅଧିକ ଶଯ୍ୟା ବୃଦ୍ଧି ପାଇଁ ଘୋଷଣା କରିଥିଲେ । କର୍ପୋରେଟ ହୋମଗୁଡିକ ଏଥିରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଭିଡିଓ କନଫରେନ୍ସିଂରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଯୋଜନା କମିଟିର ଅଧ୍ୟକ୍ଷ ତଥା ମନ୍ତ୍ରୀ ସମୀର ରଂଜନ ଦାସ, ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶାରଦା ନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ, ସ୍ୱତନ୍ତ୍ର ରିଲିଫ କମିଶନର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment