ବାଲିଗୁଡ଼ା: ଗାଁ କୁ ନଥିଲା ରାସ୍ତା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲାନି ପ୍ରଶାସନ । ଶେଷରେ ଗାଁ ର ଜଣେ ଆଦିବାସୀ ଯୁବକ ସିଭିଲ୍ ଇଞ୍ଜିନିୟର ଛାତ୍ରଙ୍କ ବୁଦ୍ଧି ବଳରେ ଗାଁ ଲୋକେ ତିଆରି କରିଛନ୍ତି କାଠ ପୋଲ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କନ୍ଧମାଳ ଜିଲ୍ଲା କୁ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଲେତିଙ୍ଗିଆ ଗ୍ରାମ ପଞ୍ଚାୟତର ଲାଗୁରୀମାହା ଗ୍ରାମବାସୀ ।
ଗାଁ ଠୁ ସହର ସବୁଠି ବିକାଶକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଆଜିର ଦିନରେ ଏମିତି ବି ଅନେକ ଗାଁ ରହିଛି ଯେଉଁଠି ବିକାଶର ଛାଟା ଟିକେ ପଡ଼ିନାହିଁ । ଅଂଚଳରେ ସରକାରୀ ବାବୁମାନଙ୍କ ପାଦ ଟିକେବି ପଡ଼ୁଥିବା ଅଭିଯୋଗ ହେଉଛି । ଫଳରେ ସରକାରଙ୍କ ଯୋଜନା ଗାଁ କୁ ପହଞ୍ଚ଼ି ପାରୁନାହିଁ । ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲ୍ଲା କୁ.ନୂଆଗାଁ ବ୍ଲକ୍ ଲାଞ୍ଜୁରୀମାହା ଗ୍ରାମର ଯୁବ ଇଞ୍ଜିନିୟରିଂ ଛାତ୍ର ଚନ୍ଦ୍ରକାନ୍ତ ମଲ୍ଲିକ ନିଜ ବୁଦ୍ଧିର ପରିଚୟ ଦେଇଛନ୍ତି । ଗାଁ ଲୋକଙ୍କୁ ଏକାଠି କରି ଯୁଗାମୁଣ୍ଡା ନାଳ ଉପରେ ତିଆରି କରିଛନ୍ତି କାଠ ପୋଲ ।
ବର୍ଷାଦିନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ ଏହି ଗ୍ରାମବାସୀଙ୍କୁ । ନାଳ ଆରପଟେ ରହିଛି ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ପଞ୍ଚାୟତ ଗୃହ । ବର୍ଷାଦିନେ ନାଳରେ ପାଣି ବଢ଼ିଯାଏ ଫଳରେ ସବୁ ବନ୍ଦ । ନାଳ ଏପଟୁ ସେପଟକୁ ଲୋକେ ଯାଇପାନ୍ତି ନାହିଁ । ଲେତିଙ୍ଗିଆ ଗ୍ରାମ ପଞ୍ଚାୟତର ଏହି ଲାଞ୍ଜରୀମାହା ଗ୍ରାମରେ ୩୦ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରନ୍ତି । ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିବା ପରେ ମଧ୍ୟ ଯଥା ପୂର୍ବଂ ତଥା ପରଂ । ନିଜ ଅଞ୍ଚଳ ଲୋକଙ୍କ ସୁବିଧା ପାଇଁ ଶେଷରେ ଗାଁ ଲୋକଙ୍କୁ ଏକାଠି କରି ଯୁବ ଇଞ୍ଜିନିୟରିଂ ଛାତ୍ର ଚନ୍ଦ୍ରକାନ୍ତ ମଲ୍ଲିକ କାଠ ପୋଲ ନିର୍ମାଣ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ବୋଲି କହିଛନ୍ତି ଲେତିଙ୍ଗିଆ ସରପଞ୍ଚ ଅଞ୍ଜୁତା ପ୍ରଧାନ ।
ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।