ବଲାଙ୍ଗୀର : ସଂପ୍ରତି ଦେଶରେ କରୋନା ସଂକ୍ରମଣର ତୃତୀୟ ଲହରୀ ମାଡି ଚାଲିଛି । ଏହି ଲହରୀରେ କରୋନାର ନୂଆ ରୂପ ଅଧିକ ସଂକ୍ରମଣ ଜନିତ ଓ ବିପଦପୂର୍ଣ୍ଣ ଅଟେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଜି ଯାଏ ସାରା ଦେଶରେ ପ୍ରାୟ ଅଢେଇ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନାର ଦ୍ୱିତୀୟ ଲହରୀରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳୁଛି ଏବଂ ଏହା ଚକ୍ରବୃଦ୍ଧି ହାରରେ ବିପଦଜନକ ଭାବରେ ବଢିଚାଲିଛି । ରାଜନୈତିକ ଓଡିଶାର କୋଶଳ ଅଂଚଳରେ କରୋନାର ଏହି ନୂଆ ରୂପ ଭୟାବହ ଆକାର ଧାରଣ କଲାଣି । ବିଶେଷ କରି ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲା ମାନଙ୍କର ସ୍ଥିତି ଅତିବ ଭୟାବହ । ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ରାଜ୍ୟ ସରକାର ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିବା ସହ ଶନିବାର, ରବିବାର ସଟଡାଉନ କରିବାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏତିକିରେ କାମ ଚଳିବ ନାହିଁ । ତେଣୁ କୋଶଳାଞ୍ଚଳର ଏଭଳି ଭୟାବହ ସ୍ଥିତିକୁ ଦେଖି ରାଜ୍ୟ ସରକାର ଏ ଅଂଚଳକୁ କରୋନା ପ୍ରବଣ ଅଂଚଳ ରୂପେ ଘୋଷଣା କରିବା ସହ ତୁରନ୍ତ କରୋନାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବି କରିଛନ୍ତି । କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ଜାରି ପ୍ରେସ୍ ବିବୃତ୍ତିରେ ଶ୍ରୀ ମିଶ୍ର କୋଶଳାଞ୍ଚଳର ସବୁ ଜିଲ୍ଲା ତଥା ସବ୍ଡିଭିଜନରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପୁଣି ଥରେ ସ୍ଥାପନ କରିବା ସହ ଅଧିକ ସଂଖ୍ୟକ ଶଯ୍ୟା, ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର, ଔଷଧ ଓ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏହାଛଡା ଭ୍ରାମ୍ୟମାଣକରୋନା ପରୀକ୍ଷାଗର ତଥା ପ୍ରତି ପଞ୍ଚାୟତ ଓ ମ୍ୟୁନସିପାଲଟିର ପ୍ରତି ୱାର୍ଡରେ କରୋନା ପରୀକ୍ଷା ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି । ଏହାଛଡା ଉପକୂଳ ଓଡିଶାରୁ ଅଧିକ ସଂଖ୍ୟକ ଡାକ୍ତ ଆଣି ସମସ୍ୟାର ମୁକାବିଲା କରିବାକୁ ସେ ଅନୁରୋଧ କରିଛନ୍ତି । ଏହାଛଡା ଏ ଅଂଚଳର ଛଟେଇ ହୋଇଥିବା କରୋନା ଯୋଦ୍ଧା (ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ)ମାନଙ୍କୁ ପୁଣି ଥରେ ନିଯୁକ୍ତି ଦେଇ ସେବାରେ ଲଗେଇବାକୁ ମଧ୍ୟ ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । କୋଶଳାଞ୍ଚରେ କରୋନା ପ୍ରତିଷେଧକ ଟିକାକରଣକୁ ବହୁଗୁଣିତ କରିବା ସହ ସ୍ୱତନ୍ତ୍ର ଭାବରେ ଛାତ୍ରଛାତ୍ରୀମାନଙଅକୁ ଓ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ସେ ଦାବି କରିଛନ୍ତି । କୋଶଳାଞ୍ଚଳର କରୋନା ପରିସ୍ଥିତିର ଭୟାବହତା ଦୃଷ୍ଟିରୁ ଏ ଅଂଚଳରେ ସ୍ୱତନ୍ତ୍ର ଭାବେ ସଚିବସ୍ତରୀୟ କମିଟି ଗଠନ କରି ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରୋନା ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ଓ ରାଜନୈତିକ ଦୃଷ୍ଟିରୁ କିମ୍ବା ଅସାଧୁ ଉଦ୍ଦେଶ୍ୟ ରଖି କରୋନା ସମୟରେ କାମ ନ କରି କରୋନା ପରିସ୍ଥିତି ଯୋଗୁଁ କାମଧନ୍ଦା ହରାଉ ଥିବା ଗରିବ ଲୋକଙ୍କ ଥଇଥାନ ପାଇଁ ଓ ଆର୍ଥିକ ଅନୁଦାନ ପାଇଁ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି । ଏହାଛଡା କରୋନା କାଳରେ ଚିକିତ୍ସାକୁ ଅବହେଳା କରୁଥିବା ଡାକ୍ତର ଓ ଅସାଧୁ ଉପାୟରେ କରୋନା ପାଇଁ ଉଦ୍ଦିଷ୍ଟ ଅର୍ଥକୁ ତୋଷାରପାର କରୁଥିବା ବ୍ୟକ୍ତି ଓ ପ୍ରତିଷ୍ଠାନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।