ବୌଦ୍ଧ,୪/୯ – କୃଷି ପାଇଁ ଜଳ ସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ସରକାର ଆରମ୍ଭ କରିଥିଲେ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ l ଉଠା ଜଳ ସେଚନ ବିଭାଗ ଜରିଆରେ ଏ କାର୍ଯ୍ୟକ୍ରମ ରୁପlୟନ କରାଯାଉଛି l ବୌଦ୍ଧ ଜିଲ୍ଲାରେ ଏ କାର୍ଯ୍ୟକ୍ରମ କିଭଳି ଚାଲିଛି ତାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି ବଉଦ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ବାଲିଦୋହଲି ଗ୍ରାମରେ l ଗଭୀର ନଳକୂପ ବାଲିଦୋହଲି ପୁଞ୍ଜ 2 ନାମରେ ହୋଇଥିବା ପ୍ରକଳ୍ପରେ ସଞ୍ଜୟ କୁମାର ମହାକୁଡ, ପଦ୍ମ ଚରଣ କର୍ଣ୍ଣ, ଜୟନ୍ତ ପ୍ରଧାନ ଓ ସନ୍ତୋଷ ପ୍ରଧାନ ନାମକ 4 ଜଣ ଚାଷୀ ହିତାଧିକାରୀ ଥିଲେ l ନଳକୂପ ଖନନ ପରେ ଯେଉଁ ଆବଶ୍ୟକ ଉପକରଣ ଓ ସେବା ଯୋଗାଇ ଦେବା ପାଇଁ ଯୋଜନାରେ ବ୍ୟବସ୍ଥା ଥିଲା ତାହା ଯୋଗାଇ ଦେବାରେ ସମ୍ପୃକ୍ତ ଠିକାଦାର କିମ୍ବା ଉଠା ଜଳ ସେଚନ ବିଭାଗ ସକ୍ଷମ ହୋଇ ପାରୁନଥିବା ଅଭିଯୋଗ ହୁଏ | ସଞ୍ଜୟ ମହାକୁଡ ଓ ପଦ୍ମ ଚରଣ କର୍ଣ୍ଣଙ୍କୁ ଅଚଳ ମଟର ପ୍ରଦାନ କରାଯାଇଛି | ମଟର ମରାମତି ପାଇଁ କହିଲେ କର୍ଣ୍ଣପାତ କରୁନାହାନ୍ତି ଓ ନିଜେ ତାକୁ ମରାମତି କର ବୋଲି କହୁଛନ୍ତି l ସେହିପରି ଉକ୍ତ ଗ୍ରାମରେ ଥିବା 1 ନମ୍ବର୍ ପ୍ରକଳ୍ପର ହିତାଧିକାରୀ ଜୟ ମହାକୁଡ, କରୁଣା ତାଣ୍ଡି, ସୁରେଂଦ୍ର ଭୋଇଙ୍କୁ ମଧ୍ୟ ଏ ଭଳି ହଇରାଣରେ ପକାଇଛନ୍ତି ଠିକାଦାର ଓ ସମ୍ପୃକ୍ତ ବିଭାଗ l କରୁଣା ତାଣ୍ଡି ଭଙ୍ଗା ମଟର ପାଇଥିବା ବେଳେ ସୁରେନ୍ଦ୍ର ଭୋଇଙ୍କୁ ପାଇପ ଦିଆ ଯାଇନଥିବା ଅଭିଯୋଗ ହୁଏ | ସେହିପରି ଜୟ ମହାକୁଡଙ୍କ ଠାରୁ ବିଦ୍ୟୁତ୍ ଖମ୍ବ ପୋତିବା ନାମରେ ଅର୍ଥ ଆଦାୟ କରିଥିବା ମଧ୍ୟ ଅଭିଯୋଗ ହୁଏ |
ଖାଲି ବାଲିଦୋହଲି ଗ୍ରାମରେ ନୁହେଁ ସାରା ଜିଲ୍ଲାରେ ସମସ୍ତ ପ୍ରକଳ୍ପରେ ସମାନ ଧରଣର ଅବ୍ୟବସ୍ଥା, ଦୁର୍ନୀତି ଓ ବିଭାଗୀୟ ଅଧିକାରୀ ମାନଂକ ଠିକାଦାର ପ୍ରୀତି ଦେଖିବାକୁ ମିଳୁଛି l ଜିଲ୍ଲାପାଳ ଏ ସମ୍ପର୍କରେ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ହିତାଧିକାରୀ ମାନେ ଦାବୀ କରିଛନ୍ତି |