ବୌଦ୍ଧ : ବୌଦ୍ଧଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ଲଗାଇ ସେମାନଙ୍କର ବ୍ୟବସାୟ ଚଳାଇଛନ୍ତି ଅନେକ ଘରୋଇ ଋଣଲଗାଣ ସଂସ୍ଥା । ଲକଡାଉନ ପାଇଁ ଜୁନ ମାସ ପର୍ଯ୍ୟନ୍ତ ମାସିକ କିସ୍ତି ଆଦାୟ ନକରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି ସଂସ୍ଥାମାନେ ଶୁଣୁନଥିବା ଅଭିଯୋଗ ହେଉଛି । ଆଜି ହରଭଙ୍ଗା ବ୍ଲକ ସରସରା ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବୌଦ୍ଧଆସି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ବୁଟୁପାଲି ଠାରେ କାର୍ଯ୍ୟାଳୟ ଖୋଲିଥିବା ସୂର୍ଯ୍ୟୋଦୟ ନାମକ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରୁ ସେମାନେ ଋଣ ନେଇଥିଲେ । ଲକଡାଉନ ଯୋଗୁଁ ସେମାନଙ୍କ ବ୍ୟବସାୟ ବନ୍ଦ ହୋଇଯାଇଥିବାରୁ ସେମାନେ ବର୍ତ୍ତମାନ ମାସିକ କିସ୍ତି ଦେଇପାରିନାହାନ୍ତି । ଅପରପକ୍ଷରେ ସୂର୍ଯ୍ୟୋଦୟ ସଂସ୍ଥାର କର୍ମଚାରୀମାନେ ଘରକୁ ଘର ଯାଇ କିସ୍ତି ଆଦାୟପାଇଁ ସେମାନଙ୍କ ଉପରେ ଚାପ ପକାଉଛନ୍ତି । ମହିଳାମାନଙ୍କୁ ଗାଳିଗୁଲଜ କରିବାସହ ଟଙ୍କା ପରିଶୋଧ ପାଇଁ ବାଧ୍ୟ କରୁଛନ୍ତି ବୋଲି ସେମାନେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ସେମାନଙ୍କୁ ଉକ୍ତ ସଂସ୍ଥା ବ୍ୟବସାୟ ଆରମ୍ଭ ପାଇଁ ଆଉ କିଛି ଋଣ ଦେଲେ ସେମାନେ ଋଣ ପରିଶୋଧ କରିପାରିବେ ବୋଲି କହିଛନ୍ତି ।
ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମହିଳାମାନଙ୍କୁ ଆଶ୍ୱାସନା ଦେବାସହିତ ଏ ସଂପର୍କରେ ତଦନ୍ତ କରିବା ସକାଶେ ଲିଡ୍ ବ୍ୟାଙ୍କ ମ୍ୟାନେଜରଙ୍କୁ ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।