ଦୋକାନ ଭାଙ୍ଗି ରୂପା, ମୋବାଇଲ ଓ ଟଙ୍କା ଲୁଟ, ପୋଲିସର ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୩୦/୧୦: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଂଚଳ ବ୍ରାହ୍ମଣୀଗାଁ ବଜାର ସ୍ଥିତ ୫ଟି ଦୋକାନ ଗୃହର ତାଲାଭାଙ୍ଗି ବୁଧବାର ରାତିରେ ଲୁଟ ହୋଇଥିବା ନେଇ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ବ୍ରାହ୍ମଣୀଗାଁ ବଜାର ସ୍ଥିତ ସତ୍ୟନାରାୟଣ ଜୁଏଲାରୀ ଦୋକାନର ତାଲା ଭାଙ୍ଗି ଅଧା କିଲୋ ରୂପା ଅଳଙ୍କାର ଚୋରି କରି ନେଇଥିବା ବେଳେ ନନ୍ଦିନୀ ନାଗରିକ ସେବାକେନ୍ଦ୍ରରୁ ଗୋଟିଏ ମୋବାଇଲ ସହ ନଗଦ ୩୦ ହଜାର ଟଙ୍କା,ପପୁନି ଇଲୋକଟ୍ରୋନିକ୍ସ ଦୋକାନରୁ ଗୋଟିଏ ମୋବାଇଲ,ହାଟପଦା ନିକଟରେ ଥିବା ଶିବରାମ ସାହୁଙ୍କ ରସ ପିତଳ ଦୋକାନ ଏବଂ ଗଦାଧର ନାୟକଙ୍କ ଘରେ କେହି ନଥିବା ସୁଯୋଗ ରେ ତାଙ୍କ ଘରର ତାଲା ଭାଙ୍ଗିଦେଇଥିବା ଜଣାପଡ଼ିଛି । ତେବେ ଗଦାଧର ସାହୁ ଓ ଶିବରାମଙ୍କର କୌଣସି ଜିନିଷ ଚୋରିହୋଇନଥିବା ଜଣାପଡ଼ିଛି । ଏନେଇ ଗୁରୁବାର ଦିନ ଲବନାଥ ନାୟକ,ପପୁନି କାର୍ଜି,ଅରବିନ୍ଦ ସାହୁ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଓ ଏସଆଇ ସଂଗ୍ରାମ କେଶରୀ ଜେନା ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମର ଅତିରିକ୍ତ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା, ଡଗ ମାଷ୍ଟର ରାଜ କୁମାର ବେହେରା ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଏନେଇ ବ୍ରାହ୍ମଣୀଗାଁ ଥାନାରେ କେସ ନଂ ୮୪/୨୦ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି । ବର୍ତ୍ତମାନ ଦଶହରା ତଥା ପୂର୍ଣ୍ଣିମା ଥିବା ହେତୁ ଜୁଆଡି ମାନେ ହିଁ ଏଭଳି ଚୋରିକାମ କରିଥିବା ଲୋକେ ସନ୍ଦେହ କରୁଛନ୍ତି । ତେଣୁ ବ୍ରାହ୍ମଣୀଗାଁ ଥାନା ଅଂଚଳରେ ରାତ୍ରିକାଳୀନ ପେଟ୍ରୋଲିଂ କଡାକଡି କରିବା ସହ ଜୁଆଆଡ୍ଡା ସ୍ଥାନ ଗୁଡ଼ିକରେ ପୁଲିସ ଚଢ଼ାଉ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

Comments (0)
Add Comment